କନକ ବ୍ୟୁରୋ : ବଜାରରେ ଛତୁର ଚାହିଦା ଢେର ଅଧିକ । ସାଦା ଖାଇବା ଲୋକ ଛତୁ ଖାଇବାକୁ ଅଧିକ ପସନ୍ଦ କରନ୍ତି। ଆଉ ସେଥିପାଇଁ ଛତୁ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖଣ୍ଡୁଆଳି ଗାଁର ଉଦ୍ୟୋଗୀ ମହିଳା ସରିତା ସାହୁ । ୧୫ ବର୍ଷ ହେଲା ସେ ଛତୁ ବ୍ୟବସାୟ କରୁଛନ୍ତି । ପ୍ରଥମେ ତାଙ୍କ ସ୍ଵାମୀ ଶରତ ସାହୁ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେଥିରୁ ମିଳୁଥିବା ଅର୍ଥରୁ ଘର ଚଳାଇବା କଷ୍ଟକର ହେଉଥିଲା । ତେଣୁ ଛତୁ ଚାଷ କରିବା ପାଇଁ ମନସ୍ତ କରି ସେଥିରେ ସଫଳ ହେଲେ । ଧିରେ ଧିରେ ଭଲ ରୋଜଗାର ହେବାରୁ ଛତୁ ମଞ୍ଜି ପ୍ରସ୍ତୁତ କରି ବିକ୍ରି କଲେ । 

Advertisment

ଏବେ ସେ ପ୍ରତିଦିନ ଏକ କୁଇଣ୍ଟାଲ ଛତୁ ଅମଳ କରୁଛନ୍ତି । କଟକ, ଢେଙ୍କାନାଳ, ଅନୁଗୁଳ, ଭୁବନେଶ୍ଵର, ଖୋର୍ଦ୍ଧା, ଆଠଗଡ଼, ଖୁଣ୍ଟୁଣୀ ଆଦି ଅଞ୍ଚଳରେ ମଞ୍ଜି ସହ ଛତୁ ବିକ୍ରି କରୁଛନ୍ତି ।  ସରିତାଙ୍କ ସ୍ବାମୀ ଓୟୁଏଟିରୁ ଛତୁ ମଞ୍ଜି ଉତ୍ପାଦନ କରିବା ବିଷୟରେ ପ୍ରଶିକ୍ଷଣ ନେଇ ଚାଷ କରୁଛନ୍ତି । ବର୍ଷକୁ ଛତୁ ମଞ୍ଜି ଓ ଛତୁ ବିକ୍ରି କରି ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସରିତା ତାଙ୍କ ଛତୁ ଫାର୍ମରେ ୨୦ ଜଣ ମହିଳାଙ୍କୁ ନିୟୋଜିତ କରିଛନ୍ତି । କିଏ ନଡ଼ା କାଟୁଛନ୍ତି ତ ପୁଣି କିଏ ବୋତଲରୁ ଛତୁ ମଞ୍ଜି କାଢୁଛନ୍ତି । ଆଉ କିଏ ଛତୁ ବେଡ ପ୍ରସ୍ତୁତ କରୁଛନ୍ତି ପୁଣି କିଏ ଛତୁ ତୋଳୁଛନ୍ତି । ଗାଁର ମହିଳା ମାନେ କେବଳ ଘର କାମରେ ସୀମିତ ରହୁଥିଲେ । ପାଖ ଫାର୍ମରେ କାମ କରି କିଛି କିଛି ରୋଜଗାର କରିପାରୁଥିବାରୁ ସେମାନେ ଖୁସି ପ୍ରକାଶ କରିଛନ୍ତି ।

ଚାଷ ଏମିତି ଏକ ବେଉସା.. ଯାହା ସ୍ବାବଲମ୍ବୀ କରାଇବା ସହ ନିଯୁକ୍ତି ସୃଷ୍ଟି କରିଥାଏ । ଯାହାର ପ୍ରମାଣ ହେଉଛନ୍ତି ସରିତା ଓ ଶରତ  ।