କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଏବେ ପୂରୁଣା ସମୀକରଣ ବଦଳି ନୂଆ ସମୀକରଣ ଆରମ୍ଭ ହେବା ଭଳି ଅନୁମାନ କରାଯାଉଛି । ମହାବିକାଶ ଅଘାଡ଼ିର ବିଫଳତାକୁ ନେଇ ଉଦ୍ଧବ ଠାକରେ ଯେଭଳି ପ୍ରଶ୍ନ ଉଠାଇଛନ୍ତି ତାହା ଏବେ ଇଣ୍ଡିଆ ମେଣ୍ଟର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠାଇଛି । ଉଦ୍ଧବ ଠାକରେ ସ୍ୱୀକାର କରିଛନ୍ତି କି, ଗତ ବିଧାନସଭା ନିର୍ବାଚନରେ ଏମଭିଏର ପରାଜୟ ପଛରେ ଆସନ ଭାଗବଣ୍ଟା ପ୍ରମୁଖ କାରଣ ।
ଉଦ୍ଧବ ଠାକରେ କହିଛନ୍ତି ଯଦି ବିଧାନସଭା ନିର୍ବାଚନ ବେଳେ ହୋଇଥିବା ଭୁଲକୁ ପୁଣି ଏମଭିଏ ଦୋହରାଇବାକୁ ଚାହୁଛି ତେବେ ଏମଭିଏ ମେଣ୍ଟରେ ସାମିଲ ହୋଇ ରହିବାର କିଛି କାରଣ ନାହିଁ । ଠାକରେଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସଙ୍କ ସହ ରୁଦ୍ଧ ଦ୍ୱାର ବୈଠକ ପରେ ଠାକରେଙ୍କ ଏଭଳି ବୟାନ ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିପାରେ ।
ଶନିବାର ଦିନ ଶିବସେନାର ମୁଖପତ୍ର "ସାମ୍ନା'କୁ ଏକ ସାକ୍ଷାତକାର ଦେଉ ଉଦ୍ଧବ ଠାକରେ କହିଛନ୍ତି କି, ବିଧାନସଭା ନିର୍ବାଚନ ବେଳେ ଏମଭିଏ ମେଣ୍ଟରେ ଆସନ ଭାଗବଣ୍ଟାକୁ ନେଇ ଟଣା ଓଟରା ଲାଗିଥିଲା । ଏହା ନାମାଙ୍କନର ଶେଷ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଓ ଏହା ଲୋକଙ୍କ ପାଖରେ ପହଂଚିଯାଇଥିଲା । ଯାହା ମେଣ୍ଟ ପରାଜୟର ପ୍ରମୁଖ କାରଣ ପାଲଟିଥିଲା । ଏହାସହ ସେ କହିଛନ୍ତି କି, ଲୋକସଭା ନିର୍ବାଚନରେ ୩ ପ୍ରମୁଖ ଦଳ ଯେଭଳି ଏକଜୁଟ ହୋଇ ନିର୍ବାଚନକୁ ସାମ୍ନା କରିଥିଲେ, ବିଧାନସଭା ନିର୍ବାଚନରେ ଆସନ ବୁଝାମଣାକୁ ନେଇ ବିବାଦ କାରଣରୁ ଏକଜୁଟତା ଦେଖିବାକୁ ମିଳିନଥିଲା । ଉଦ୍ଧବ ଠାକରେଙ୍କ ଏଭଳି ବୟାନ ସ୍ପଷ୍ଟ କରୁଛି କି, ମହାବିକାଶ ଅଘାଡ଼ି ଏବେ ସେଭଳି ଏକ ମଂଚ ହୋଇରହିନାହିଁ, ଯେଉଁଠି ସେ ଆଶ୍ୱସ୍ଥି ଅନୁଭବ କରିବେ ।