କନକ ବ୍ୟୁରୋ : ଶୀତ ଋତୁ ଆସିଲେ ପ୍ରର୍ଯ୍ୟଟକଙ୍କ ସୁଅ ଛୁଟୁଛି ଶାନ୍ତି ଝରକୁ । ଏଠିକାର ଶାନ୍ତ ପରିବେଶ ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ ଖୁବ୍‌ ଆକର୍ଷଣୀୟ । ଯାହା ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକଙ୍କୁ ଅକୃଷ୍ଟ କରିଥାଏ । ବଣ ଭୋଜି ସାଙ୍ଗକୁ ନାଚଗୀତର ଆସର ଜମେ । ହେଲେ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ଏହି ସ୍ଥାନ ଏବେ ଖୋଜୁଛି ପର୍ଯ୍ୟଟନର ମାନ୍ୟତା ।

Advertisment

ଗଞ୍ଜାମ ଜିଲ୍ଲାର ଧରାକୋଟ ଠାରୁ ୨ କିଲୋମିଟର ଗଲେ ପଡ଼େ ଶାନ୍ତି ଝର। ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପରିବେଶ ଶାନ୍ତି ଝରର ନାମକୁ ଯଥାର୍ଥ କରିଛି । ଏଠାରେ କୁଳୁକୁଳୁ ନାଦରେ ବହିଯାଉଥିବା ଝରଣା ପ୍ରର୍ଯ୍ୟଟକଙ୍କ ମନକୁ ଶାନ୍ତ କରିଦିଏ, ଅହେତୁକ ଆନନ୍ଦ ଦେଇଥାଏ । ପ୍ରତିବର୍ଷ ଏହି ସମୟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବଣଭୋଜି ପାଇଁ ହଜାରହଜାର ପର୍ଯ୍ୟଟକ ଆସିଥାନ୍ତି । ଝରଣାରେ ମନଭରି ଗାଧେଇବା ସହ ଭୋଜିଭାତରେ ବିତିଯାଏ ଦିନଟିଏ । ନାଚଗୀତ ସହ ସେଲ୍ଫିର ମଜା ନେଇଥାନ୍ତି ପିଲାଠୁ ବୟସ୍କ । 

ଅଧିକ ପଢ଼ନ୍ତୁ---କାୟା ମେଲାଉଛି କିଡ୍‌ନି ରୋଗ ; ଗୋଟିଏ ଗାଁରୁ ନେଲାଣି ୨୦ ମୁଣ୍ଡ

ଶାନ୍ତି ଝରର ଅନ୍ୟତମ ଆକର୍ଷଣ, ପାହାଡ଼ ଶିଖରରେ ଥିବା ବିରାଟ ହନୁମାନ ମୂର୍ତ୍ତି । ପୁଣି ପାଦଦେଶରେ ଅବସ୍ଥିତ ଅଛନ୍ତି ମାଆ କାଠୁରିଆ । ଏଠାରେ ଛୋଟଛୋଟ ପିଲାଙ୍କ ପାଇଁ ରହିଛି ଏକ ଶିଶୁ ଉଦ୍ୟାନ । ଧରାକୋଟ ଗଡ଼ର ସ୍ୱତ୍ବନ୍ତ୍ରତା ବହନ କରି ଆସୁଥିବା ଏହି ସୁନ୍ଦର ସ୍ଥାନଟି ପ୍ରଯ୍ୟଟନ ସ୍ଥଳର ମାନ୍ୟତା ପାଇନାହିଁ । ସରକାରଙ୍କ ନଜର ଆଢୁଆଳରେ ରହିଯାଇଛି । ପ୍ରର୍ଯ୍ୟଟନ ସ୍ଥଳିର ମାନ୍ୟତା ମିଳିଲେ, ସ୍ଥାନଟି ଅଧିକ ଲୋକାଦୃତ ହୋଇପାରନ୍ତା ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା । ଏଠାରେ ରାସ୍ତାଘାଟ, ପିଇବା ପାଣି, ବିଶ୍ରାମଗାର ଏବଂ ଆଲୁଅ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।