କନକ ବ୍ୟୁରୋ : ମୌନୀ ଅମାବାସ୍ୟାରେ ହୋଇଥିବା ବିବାଦକୁ ନେଇ ଅସନ୍ତୋଷ ଥିବା ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ମାଘ ମେଳା ଅଧାରୁ ଛାଡ଼ି କାଶୀ ଚାଲି ଯାଇଛନ୍ତି । ବୁଧବାର ସକାଳେ ଶଙ୍କରାଚାର୍ଯ୍ୟ ହଠାତ୍ ମେଳା ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ପ୍ରୟାଗରାଜରୁ କାଶୀ ଅଭିମୁଖେ ଯାତ୍ରା କରିଥିଲେ । ଅମାବାସ୍ୟାରେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ବିବାଦ ପରେ ଶଙ୍କରାଚାର୍ଯ୍ୟ ଚଳିତ ବର୍ଷ ସଙ୍ଗମରେ ସ୍ନାନ ମଧ୍ୟ କରିନଥିଲେ । ସେ ନିଜ ଶିବିରକୁ ନ ଯାଇ ୧୧ ଦିନ ଧରି ଶିବିର ବାହାରେ ଧାରଣା ଦେଇଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଶଙ୍କରାଚାର୍ଯ୍ୟଙ୍କ ସହିତ କଥାବାର୍ତ୍ତା କରିବା ପରେ ମାଘ ମେଳା ଛାଡ଼ି ଦେଇଥିଲେ ।
ପ୍ରଥମ ଥର ପାଇଁ ଶଙ୍କରାଚାର୍ଯ୍ୟ ମାଘ ମେଳା ଯିବା ପରେ ବି ସ୍ନାନ ନକରି ଫେରିଆସିଥିଲେ । ମାଘ ମେଳା ପ୍ରତିବର୍ଷ ମକର ସଂକ୍ରାନ୍ତିରୁ ମହାଶିବରାତ୍ରି ପର୍ଯ୍ୟନ୍ତ ଦେଢ଼ ମାସ ଚାଲିଥାଏ କିନ୍ତୁ କଳ୍ପବାସ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମକର ସଂକ୍ରାନ୍ତିରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ରହିଥାନ୍ତି । ସାଧୁସନ୍ଥଙ୍କ ଉପରେ ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ମାଘ ମାସ ମେଳା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି ଗତକାଲି ଶଙ୍କରାଚାର୍ଯ୍ୟ କହିଥିଲେ । ଏହାସହିତ ତାଙ୍କୁ ହତ୍ୟା କରାଯାଇପାରେ ବୋଲି ଆଶଙ୍କାବ୍ୟକ୍ତ କରିଥିଲେ ।
ଅଧିକ ପଢନ୍ତୁ :ଶ୍ରୀ ଜଗନ୍ନାଥଙ୍କ ଧାମ ଅପରିବର୍ତ୍ତନୀୟ :ଗଜପତି ମହାରାଜା
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମର୍ଥନରେ ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ଟିକସ ଅଧିକାରୀ ଇସ୍ତଫା ଦେଇଛନ୍ତି । ଅଯୋଧ୍ୟା ଜିଏସ୍ଟି ଡେପୁଟି କମିସନର ପ୍ରଶାନ୍ତ ସିଂହ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇବା ସହିତ କହିଥିଲେ , ପ୍ରଧାନମନ୍ତ୍ରୀ ମୋଦୀ , ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦଙ୍କ ମନ୍ତବ୍ୟ ତାଙ୍କୁ ଗଭୀର ଭାବେ ଆଘାତ ଦେଇଛି । ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି ସେ କାନ୍ଦି କାନ୍ଦି ତାଙ୍କ ଇସ୍ତଫା ସମ୍ପର୍କରେ କହୁଥିବା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ସୋମବାର ବରେଲି ସିଟି ମାଜିଷ୍ଟ୍ରେଟ ଅଳଙ୍କାର ଅଗ୍ନିହୋତ୍ରି ୟୁଜିସିର ନୂଆ ନିୟମକୁ ବିରୋଧ କରିବା ସହିତ ପ୍ରୟାଗରାଜଠାରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ହୋଇଥିିବା ଅସମ୍ମାନ ବିରୋଧରେ ଚାକିରିରୁ ଇସ୍ତଫା ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/28/abhi-mukteshwar-anand-2026-01-28-12-50-09.jpg)