Shankar Prusty Photograph: (Kanak News)
କନକ ବ୍ୟୁରୋ: ଚାକିରି କେଳେଙ୍କାରୀ ଧରାପଡିବା ପରେ ମାସେ ହେଲା ଫେରାର ଥିଲା । ପୁଲିସକୁ ଚକମା ଦେବା ପାଇଁ ବାରମ୍ବାର ଲୋକେସନ ବଦଳାଉଥିଲା । ଏପଟେ ଜାମିନ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହେଉଥିଲା । ଶେଷରେ ନେପାଳ ସୀମାରୁ ଶଙ୍କର ପୃଷ୍ଟିକୁ ଧରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ ।
ଶଙ୍କର ପୁଷ୍ଟି, ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀର କାର୍ପଟଦାର ତଥା ପଂଚସଫ୍ଟ ଟେକ୍ନୋଲୋଜିର ମାଲିକ । ମାସେ କାଳ ଲୁଚକାଳି ଖେଳିବା ପରେ ଶେଷରେ ଧରାପଡିଛି ।
ଅକ୍ଟୋବର ଆରମ୍ଭରେ ଏସଆଇ ପରୀକ୍ଷା କେଳେଙ୍କାରୀ ସାମନାକୁ ଆସିବା ପରେ ଚମ୍ପଟ ମାରିଥିଲା ଶଙ୍କର । ପୁଲିସ ପଞ୍ଝାରୁ ବର୍ତ୍ତିବା ପାଇଁ ବାରମ୍ବାର ସ୍ଥାନ ବଦଳାଉଥିଲା ।
ବ୍ରହ୍ମପୁରରୁ ଦିଲ୍ଳୀ, ଦିଲ୍ଲୀରୁ ଗାଜିଆବାଦ ଯାଇଥିଲା ଶଙ୍କର । ଗାଜିଆବାଦରେ ଥିବା ଘରେ ସ୍ତ୍ରୀ ଓ ପିଲାଙ୍କୁ ଛାଡ଼ି ନେପାଳ ସୀମାକୁ ଚାଲି ଯାଇଥିଲା । ତାପରେ ଉତ୍ତରାଖଣ୍ଡର ଚମ୍ପାବତକୁ ଆସି ଜାମିନ୍ ପାଇଁ ଜଣେ ଓକିଲଙ୍କ ସହ ଯୋଗାଯୋଗ କରିଥିଲା । ଏପଟେ ଦିଲ୍ଲୀରେ ଡେରା ପକାଇ ଜଗି ରହି ରିହଥିଲା କ୍ରାଇମବ୍ରାଂଚର ଏକ ଚାରି ଜଣିଆ ଟିମ୍ । ନେପାଳ ସୀମାରେ ଥିବା ସୂଚନା ପାଇବା ପରେ ଚଢ଼ାଉ କରି ସେଠାରୁ ଶଙ୍କରକୁ କାବୁ କରିଥିଲା । ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ଓଡ଼ିଶାକୁ ଆଣିଥିଲେ କ୍ରାଇମବ୍ରାଂଚ ଟିମ୍ । ତା ନିକଟରୁ ଦୁଇଟି ମୋବାଇଲ ଫୋନ୍ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ଗୋଟିଏ ଫର୍ଚୁନର ଗାଡି ଜବତ କରାଯାଇଛି ।
ମୁନା ମହାନ୍ତି, ଲୋକନାଥ ସାହୁ ଓ ସୌମ୍ୟା ପ୍ରିୟଦର୍ଶିନୀଙ୍କୁ ରିମାଣ୍ଡରେ ଆଣି, ଶଙ୍କର ସହ ସାମନା ସାମନି ଜେରା କରୁଛି କ୍ରାଇମବ୍ରାଂଚ। ଚାକିରି କେଳେଙ୍କାରୀର ଅଧିକ ତଥ୍ୟ ହାସଲ ପାଇଁ କ୍ରାଇମବ୍ରାଂଚର ଅଧିକାରୀମାନେ ଗୁଡାଇ ତୁଡାଇ ପ୍ରଶ୍ନ କରୁଛନ୍ତି। ସେପଟେ ଫସାଇ ଦିଆଯାଇଛି ବୋଲି କହିଛନ୍ତି ମୁନ୍ନାର ଓକିଲ।
ଶଙ୍କର ଓ ତାର ସହଯୋଗୀଙ୍କୁ ଜେରା ପରେ ଏହି କେଳେଙ୍କାରୀର ଗୁମର ଆହୁରି ଖୋଲିବ। ଆଉ କେଉଁ ବଡ଼ବଡ଼ିଆ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ସାମନାକୁ ଆସିବ।
Follow Us