କନକ ବ୍ୟୁରୋ: କୋଲକତାରେ ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଏତିକି ବେଳେ ନବରଙ୍ଗପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଲୋମହର୍ଷଣକାରୀ ଘଟଣା। ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ମୃତଦେହ ମିଳିବା ପରେ ଆଜି ଦିନ ତମାମ୍ ଘଟଣାକୁ ନେଇ ଦେଖାଦେଇଥିଲା ଉତ୍ତେଜନା। 

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ହଇଚଇ। ଉତ୍ତେଜନା, ରାସ୍ତାରୋକ। ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ। ପ୍ରଥମେ ଅପରାଧୀଙ୍କୁ ଧର, ତାପରେ ଶବ ଛାଡିବୁ ବୋଲି ଅଡ଼ି ବସିଥିଲେ। ଦୀର୍ଘ ୮ ଘଣ୍ଟା କାଳ ରାସ୍ତାରୋକ ପରେ ଜିଲ୍ଲା ପ୍ରଶାସନର ସହାୟତା ଏବଂ ୧୫ ଦିନ ଭିତରେ ଅଭିଯୁକ୍ତକୁ ଧରିବା ନେଇ ଲିଖିତ ପ୍ରତିଶ୍ରୁତି ପରେ ବ୍ୟବଚ୍ଛେଦ ପାଇଁ ଯାଇଥିଲା ମୃତଦେହ। 

ମଙ୍ଗଳବାର ନାବାଳିକା ଜଣକ ଦିନ ପ୍ରାୟ ଗୋଟାଏ ବେଳେ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ। ବହୁ ଖୋଜାଖୋଜି ପରେ ରାତି ୮ଟା ବେଳେ ଗାଁର ମୋବାଇଲ୍ ଟାୱାର ପାଚେରି ପାଖରେ ବୁଦା ଭିତରୁ ମିଳିଥିଲା ଅର୍ଦ୍ଧ ନଗ୍ନ ମୃତଦେହ। କିଛି ହାତ ଦୂରରେ ଅନ୍ତବସ୍ତ୍ର ପଡିଥିଲା। ପାଟିରୁ ରକ୍ତ ବାହାରୁଥିଲା। ଏଭଳି ପାରିପାର୍ଶ୍ବିକ ସ୍ଥିତିରୁ ଝିଅଟିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ଘନୀଭୂତ ହୋଇଛି। ଏହି ବର୍ବରୋଚିତ ହତ୍ୟା ପରେ ଆଜି ଘଟଣାସ୍ଥଳକୁ ଯାଇଥିଲେ ତିନି ରାଜନୈତିକ ଦଳର ନେତା। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଥିଲେ। ପୋଲିସ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେନ୍ତୁଳିଖୁଣ୍ଟି ପୋଲିସ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖିଥିଲେ ବି ପ୍ରକୃତ ଦୋଷୀ କିଏ ସେନେଇ ସୁରାଗ୍ ପାଇନି।