କନକ ବ୍ୟୁରୋ: ନିକଟରେ ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବାଂଲାଦେଶର ମହାନ କ୍ରିକେଟର । ମୀରପୁରରେ କ୍ୟାରିଅରର ଶେଷ ଟେଷ୍ଟ ମ୍ୟାଚ୍ ଖେଳି ପାରନ୍ତି ସାକିବ ଅଲ ହାସନ । ଏହାପୂର୍ବରୁ ଦେଶବାସୀଙ୍କୁ ହାତଯୋଡ଼ି କ୍ଷମା ମାଗିଛନ୍ତି ସାକିବ୍ । କାରଣ ଏକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରହିଛନ୍ତି ସାକିବ ଅଲ ହାସନ । ବାଂଲାଦେଶରେ ଅଶାନ୍ତି ସମୟର ସାମ୍ନାକୁ ଆସିନଥିଲେ କି କୌଣସି ପ୍ରତିକ୍ରିୟା ଦେଇନଥିଲେ ତତ୍କାଳୀନ ସାଂସଦ ସାକିବ ଅଲ ହାସନ । ସେହି ସମୟରେ ଶେଖ ହସିନାଙ୍କ ସରକାର ରହିଥିଲା ।
ଶେଖ ହସିନାଙ୍କ ସରକାର ସମୟରେ ସାକିବ ଅଲ ହାସନ ସାଂସଦ ରହଥିଲେ । ଅଚାନକ ସଂରକ୍ଷଣ ଆନ୍ଦୋଳନ ରାଜନୈତିକ ଅସ୍ଥିରତାରେ ପରିଣତ ହୋଇଥିଲା । ଏହି ଅସ୍ଥିରତା ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିଲା । ଏଭଳି ସ୍ଥିତିରେ ବାଂଲାଦେଶରୁ ପଳାୟନ କରିଥିଲେ ଖୋଦ୍ ଶେଖ ହସିନା । ତେବେ ଏଭଳି ସମ୍ବେଦନଶୀଳ ସମୟରେ ଚୁପ୍ ରହିଥିବାରୁ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ସାକିବ ଅଲ ହାସନ ।
ଅକ୍ଟୋବର ୨୧ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ବାଂଲାଦେଶ । ପ୍ରଥମ ମ୍ୟାଚ ମୀରପୁରରେ ଖେଳାଯିବ । ଏହି ମ୍ୟାଚ୍ ଖେଳିବାକୁ ଚାହୁଁଥିବାରୁ ସାକିବ କ୍ଷମା ପ୍ରାର୍ଥନା କରିଥିବା କୁହାଯାଉଛି । ସାକିବ କହିଛନ୍ତି, ‘ଆପଣ ସମସ୍ତେ ଜାଣିଛନ୍ତି ମୁଁ ମୋ କ୍ୟାରିଅରର ଶେଷ ଟେଷ୍ଟ ମ୍ୟାଚ ଖେଳିବି । ମୁଁ ଆପଣ ସମସ୍ତଙ୍କ ସାମ୍ନାରେ ବିଦାୟ ନେବାକୁ ଚାହୁଁଛି । ଦେଶରେ ଅଶାନ୍ତି ସମୟରେ ଚୁପ୍ ରହିଥିବାରୁ ଆପଣମାନଙ୍କୁ କ୍ଷମା ପ୍ରାର୍ଥନା କରୁଛି ।‘
ସେପଟେ ହତ୍ୟାକାଣ୍ଡକୁ ନେଇ ସଫେଇ ଦେଇଛନ୍ତି ସାକିବ । କହିଛନ୍ତି ଯେ, ହତ୍ୟାକାଣ୍ଡ ସମୟରେ ସେ କାନାଡ଼ାରେ ଟିଟ୍ୱେଣ୍ଟି ମ୍ୟାଚ୍ ଖେଳୁଥିଲେ । ତେବେ ସେ କ୍ଷମା ପ୍ରାର୍ଥନା କରିବା ପରେ ବି ତାଙ୍କ ସୁରକ୍ଷାକୁ ନେଇ କୌଣସି ଗ୍ୟାରେଣ୍ଟି ଦେଉନି ବାଂଲାଦେଶ କ୍ରିକେଟ ବୋର୍ଡ । ବାଂଲାଦେଶ କ୍ରିକେଟ ବୋର୍ଡ ସଭାପତି ଫାରୁକ୍ ଅହମ୍ମଦ ସାକିବଙ୍କ କ୍ଷମା ପ୍ରାର୍ଥନାକୁ ଖାରଜ କରିବା ସହ କୌଣସି ସୁରକ୍ଷା ଯୋଗାଇ ଦେବାକୁ ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ ବୋଲି କହିଛନ୍ତି ।
ସାକିବ ବାଂଲାଦେଶ ମାଗୁରା ଆସନରେ ସାଂସଦ ଥିଲେ । ଧାରଣା ପ୍ରଦର୍ଶନ ସମୟରେ ରୁବେଲ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ବାପା ସାକିବ ଅଲ ହାସନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ତେବେ ଏହି ମାମଲାରେ କେବଳ ସାକିବ ନୁହଁନ୍ତି ଅନ୍ୟ ୧୫୪ ଜଣ ବି ସାମିଲ ଅଛନ୍ତି । କ୍ଷମା ପ୍ରାର୍ଥନା ପରେ ନିଜ ଦେଶରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳି ପାରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।
୩୭ ବର୍ଷୀୟ ସାକିବ ଅଲ ହାସନ ବାଂଲାଦେଶ ପକ୍ଷରୁ ୭୧ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୪୬୦୯ ରନ୍ କରିଛନ୍ତି । ସେ ୨୪୬ ୱିକେଟ ବି ଦଖଲ କରିଛନ୍ତି । ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଛନ୍ତି ।