କନକ ବ୍ୟୁରୋ: ପାକିସ୍ତାନ ସହ ଲିଜେଣ୍ଡ୍‌ସ କ୍ରିକେଟ ଲିଗ୍‌ ମ୍ୟାଚ୍‌ ଖେଳିବାକୁ ବି ମନା କରିଦେଲା ଭାରତ । ଭାରତୀୟ ଖେଳାଳି କହିଲେ ଆମ ପାଇଁ ଦେଶଠୁ ବଡ଼ ଆଉ କିଛି ନାହିଁ । ଗତ ରବିବାର ଏହି ମ୍ୟାଚ୍‌ ଖେଳାଯିବାକୁ ଥିଲା । ଏହି ଖବର ଜଣା ପଡ଼ିବା ପରେ ବିବାଦ ଉଠିବାରେ ଲାଗିଥିଲା । ସୋସିଆଲ ମିଡିଆରେ ୟୁଜର୍ସର ପାକିସ୍ତାନ ସହ କୌଣସି ପ୍ରକାର କ୍ରିକେଟ ମ୍ୟାଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ମ୍ୟାଚ୍‌କୁ  ରଦ୍ଦ କରିଥିଲେ ଆୟୋଜକ । ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି । 

Advertisment

ୱାର୍ଲଡ୍‌ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ବାତିଲ ହେବା ପରେ ଶାହିଦ ଆଫ୍ରିଦି ଚିହିଁକି ଉଠିଛନ୍ତି । ଏହି ମ୍ୟାଚ୍ ଗତ ଜୁଲାଇ ୨୦ରେ ବର୍ମିଂହାମରେ ଖେଳାଯିବାକୁ ଥିଲା । ମ୍ୟାଚ ପୂର୍ବରୁ ହିଁ ଶିଖର ଧାୱନ, ସୁରେଶ ରାଇନା, ହରଭଜନ ସିଂହଙ୍କ ସମେତ ଅନ୍ୟ ଭାରତୀୟ ଖେଳାଳିମାନେ ପାକିସ୍ତାନ ସହିତ ମ୍ୟାଚ୍ ଖେଳିବାକୁ ମନା କରିଦେଇଥିଲେ । ଏହାପରେ, ଆୟୋଜକମାନେ ମ୍ୟାଚ୍ ବାତିଲ କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ ।
ଶାହିଦ ଆଫ୍ରିଦି କହିଛନ୍ତି, "ଇଣ୍ଡିଆ ଚାମ୍ପିଅନ୍ସର ଖେଳାଳିମାନେ ଏଠାରେ ଅଭ୍ୟାସ କରିଥିଲେ । ଆମେ ଏଠାକୁ କ୍ରିକେଟ୍ ଖେଳିବାକୁ ଆସିଛୁ । ଯଦି ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଚାହୁନଥିଲା, ତେବେ ଏଠାକୁ ଆସିବାକୁ ମନା କରିବାର ଥିଲା । ସେମାନେ ଅଭ୍ୟାସ କଲେ ଏବଂ ତା'ପରେ ମନା କରିଦେଲେ, ହଠାତ୍ ଗୋଟିଏ ଦିନରେ ସବୁକିଛି ହୋଇଗଲା । ଖେଳ ଲୋକଙ୍କୁ ନିକଟତର କରାଏ, କିନ୍ତୁ ଯଦି ସବୁକିଛିରେ ରାଜନୀତି ଆସିଯାଏ, ତେବେ ଆମେ କିପରି ଆଗକୁ ବଢ଼ିବା ? ଯେପର୍ଯ୍ୟନ୍ତ ଆମେ ବସି କଥା ନହେବା, ସେପର୍ଯ୍ୟନ୍ତ ବିକାଶ ସମ୍ଭବ ନୁହେଁ ।"


ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ଇଣ୍ଡିଆ ଲିଜେଣ୍ଡସ୍‌ ଟିମ୍‌ ବିଶ୍ୱ ଚାମ୍ପିଅନସିପ୍‌ ଅଫ୍‌ ଲିଜେଣ୍ଡସ୍‌ -ଡବ୍ଲୁସିଏଲ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଓହରି ଯାଇଥିଲା ।  ହରଭଜନ ସିଂହ, ଇର୍‌ଫାନ୍ ପଠାନ, ୟୁସୁଫ ପଠାନ, ଶିଖର ଧୱନ ପ୍ରମୁଖ ପହଲଗାମ୍ ଆକ୍ରମଣର ପ୍ରତିବାଦ ସ୍ୱରୂପ ମ୍ୟାଚ୍‌ ଖେଳିବାକୁ ସଫା ମନା କରିଥିଲେ ।  ପହଲଗାମ୍ ଆକ୍ରମଣରେ ଅନେକ ନିରୀହ ଲୋକଙ୍କ ଜୀବନ ହାନୀ ହୋଇଛି । ଏହି ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି । ଏଣୁ ଏଭଳି ଏକ ସମ୍ବେଦନଶୀଳ ଘଟଣାର ପ୍ରତିବାଦ ସ୍ୱରୂପ ଭାରତୀୟ ଖେଳାଳି ମ୍ୟାଚ୍‌ ଖେଳିବେନି ବୋଲି କହିଥିଲେ ।  ଡବ୍ଲୁସିଏଲ୍‌ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌କୁ ନେଇ ଭାରତୀୟଙ୍କ ମଧ୍ୟରେ ସେତେଟା ଉତ୍ସାହ ନଥିଲା । କିନ୍ତୁ ବର୍ତ୍ତମାନ ଭାରତୀୟ ଦଳର ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟ ଉପରେ ପ୍ରଭାବ ପକାଇପାରେ ।

ଶିଖର ଧୱନ ଖୋଲାଖୋଲି ଭାବରେ ମ୍ୟାଚ୍‌ ଖେଳିବେନି ବୋଲି ଏକ୍ସ ହ୍ୟାଣ୍ଡେଲ୍‌ ପୋଷ୍ଟ୍‌ କରିଥିଲେ । ସେ ଲେଖିଥିଲେ... ଯାହା ଗତ ମେ ୭ ତାରିଖରେ ଆରମ୍ଭ ହୋଇଥିଲା... ତାହାକୁ ନେଇ ଆଜି ବି ଦୃଢ଼ମନା ହୋଇ ରହିଛି । ମୋ ଦେଶ ମ ପାଇଁ ସବୁ କିଛି । ଦେଶଠୁ ବଡ଼ କିଛି ନାହିଁ । ଜୟ ହିନ୍ଦ୍‌...