କନକ ବ୍ୟୁରୋ : ସଲମାନଙ୍କ ପରେ ସାହାରୁଖ ଖାନଙ୍କୁ ହତ୍ୟା ଧମକ । ମୁମ୍ବାଇ ପୁଲିସ ପାଖକୁ ଧମକପୂର୍ଣ୍ଣ ମେସେଜ ଆସିଛି । କୋଟିଏ ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଏନେଇ ମୁମ୍ବାଇ ବାନ୍ଦ୍ରା ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବିଏନଏସ ଧାରା ୩୦୮(୪), ୩୫୧(୩)(୪)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୁଲିସ। କିନ୍ତୁ କିଏ ଏହି ହତ୍ୟା ଧମକ ଦେଇଛି ସେନେଇ ସ୍ପଷ୍ଟ ସୂଚନା ଏପର୍ୟ୍ୟନ୍ତ ମିଳିପାରିନାହିଁ ।
ଫୈଜନ ନାମକ ଜଣେ ବ୍ୟକ୍ତି ଧମକ ଦେଇଥିବା ସୂଚନା ମଳିଛି । ସେ ଛତିଶଗଡ଼ର ରାଇପୁରର ବୋଲି ସୂଚନା ପାଇବା ପରେ ମୁମ୍ବାଇ ପୁଲିସ ରାଇପୁର ଅଭିମୁଖେ ବାହାରିଛି । ଲରେନ୍ସ ବିଷ୍ନୋୟୀ ଗ୍ୟାଙ୍ଗ ପକ୍ଷରୁ ବହୁବାର ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଛି । ସେମାନେ କୋଟିଏରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଦାବି ମଧ୍ୟ କରିଛନ୍ତି । ଏହାପରେ ସାହାରୁଖଙ୍କୁ ହତ୍ୟା ଧମକ ମିଳିଛି । ଯାହାକୁ ନେଇ ବଲିଉଡ ଜଗତରେ ହଇଚଇ ଖେଳିଯାଇଛି ।