କନକ ବ୍ୟୁରୋ: ଶାହରୁଖ ଖାନଙ୍କୁ ମିଳିଲା ପ୍ରଥମ ଜାତୀୟ ପୁରସ୍କାର । ୩୩ ବର୍ଷର ପରିଶ୍ରମ ଆଣିଲା ରଙ୍ଗ । ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ । ତାଙ୍କର ୩୩ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି ୨୦୨୩ର ବ୍ଲକବଷ୍ଟର ଫିଲ୍ମ 'ଯୱାନ'ରେ ତାଙ୍କର ଦମଦାର ଅଭିନୟ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଦୀର୍ଘ ତିନି ଦଶନ୍ଧି ଧରି ଅନେକ ସଫଳ ଏବଂ ପ୍ରଶଂସିତ ଚଳଚ୍ଚିତ୍ର ଦେବା ସତ୍ତ୍ୱେ ଜାତୀୟ ପୁରସ୍କାର ତାଙ୍କଠାରୁ ଦୂରେଇ ରହିଥିଲା, କିନ୍ତୁ 'ଯୱାନ' ତାଙ୍କର ଏହି ଅପେକ୍ଷାର ଅନ୍ତ ଘଟାଇଛି ।
୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ଅବସରରେ ଶାହରୁଖ ଖାନଙ୍କୁ 'ଯୱାନ' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ଜଣାପଡିଛି । ସେ ଏହି ପୁରସ୍କାରକୁ '୧୨th ଫେଲ୍' ଫିଲ୍ମର ଅଭିନେତା ବିକ୍ରାନ୍ତ ମେସିଙ୍କ ସହ ବାଣ୍ଟିଛନ୍ତି । 'ଯୱାନ' ଫିଲ୍ମରେ ଶାହରୁଖ ଜଣେ ସେନା ଅଧିକାରୀ ବିକ୍ରମ ରାଠୋର ଏବଂ ତାଙ୍କ ପୁଅ ଆଜାଦଙ୍କ ଦ୍ୱୈତ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ।
ଏହି ସମ୍ମାନ ପାଇବା ପରେ ଶାହରୁଖ ଖାନ ଏକ ଭିଡିଓ ବାର୍ତ୍ତା ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ନମସ୍କାର, ଆଦାବ! ଜାତୀୟ ପୁରସ୍କାରରେ ସମ୍ମାନିତ ହେବା ମୋ ପାଇଁ ଏକ ଏପରି ମୁହୂର୍ତ୍ତ ଯାହାକୁ ମୁଁ ଜୀବନସାରା ମନେ ରଖିବି । ଜୁରୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କୁ ମୋର ଅଶେଷ ଧନ୍ୟବାଦ । ସେ ତାଙ୍କ ଉପରେ ବର୍ଷିଥିବା ଭଲପାଇବା ପାଇଁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଶାହରୁଖ ଖାନ ତାଙ୍କ କ୍ୟାରିୟରରେ 'ସ୍ୱଦେଶ', 'ଚକ୍ ଦେ! ଇଣ୍ଡିଆ' ଏବଂ 'ମାଇଁ ନେମ୍ ଇଜ୍ ଖାନ୍' ଭଳି ଫିଲ୍ମରେ ଚମତ୍କାର ଅଭିନୟ କରିଥିଲେ ମଧ୍ୟ ଜାତୀୟ ପୁରସ୍କାର ପାଇବାରୁ ବଞ୍ଚିତ ହୋଇଥିଲେ ।