କନକ ବ୍ୟୁରୋ : ସେ କେବଳ ଜଣେ କଳାକାର ନୁହନ୍ତି । ସେ ଜଣେ ଭଲ ମଣିଷ ମଧ୍ୟ । ଆଜି ବି ବଲିଉଡରେ ତାଙ୍କ ସମକକ୍ଷ କଳାକାରଙ୍କ ସଂଖ୍ୟା ବହୁତ କମ୍ । ପରିଣତ ବୟସରେ ବି ଅନେକ ଝିଅଙ୍କ ସ୍ୱପ୍ନର ନାୟକ । ହେଲେ ଶିକ୍ଷାଗତ ଯୋଗ୍ୟତାରେ ବି ବେଶ୍ ଆଗରେ ଥିଲେ ଏହି କଳାକାର । ଦର୍ଶକ ବନ୍ଧୁ ଆମେ କହୁଛୁ ବଲିଉଡର କିଙ୍ଗଖାନ ଓ ବାଦଶାହା ନାମରେ ପରିଚିତ ଶାହାରୁଖ ଖାନଙ୍କ କଥା ।
ସିନେମା ଦୁନିଆରେ ତାଙ୍କର ସଫଳତା, ଦାନ ଧର୍ମରେ ତାଙ୍କର ଅବଦାନ ବାବଦରେ ଆପଣ ବହୁତ କିଛି ଜାଣିଛନ୍ତି । ସଦ୍ୟ ପଞ୍ଜାବରେ ହୋଇଥିବା ବନ୍ୟାଗ୍ରସ୍ଥ ଲୋକଙ୍କ ପାଇଁ ସହାୟତା ହେଉ କି, ବିଭିନ୍ନ ସମୟରେ ବାହାର ଦେଶରେ ଫସିଥିବା ଲୋକଙ୍କୁ ଭାରତ ଫେରାଇଆଣିବା ପ୍ରସଙ୍ଗ ହେଉ, ସବୁବେଳେ ଚର୍ଚ୍ଚାରେ ଥାନ୍ତି ଏହି ଅଭିନେତା । ହେଲେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଶାହାରୁଖ ଖାନ କେବଳ ସିନେମା ଦୁନିଆରେ ସଫଳତା ପାଇ ନାହାନ୍ତି । ପାଠ ପଢାରେ ବି ସେ ଟପ୍ପର ଥିଲେ । ଏନେଇ ଏକ ବଡ଼ ଖୁଲାସା କରିଛନ୍ତି ବଲିଉଡ ଡାଇରେକ୍ଟର ଅନୁରାଗ କଶ୍ୟପ । ଏକ ସାକ୍ଷାତକାରରେ ଅନୁରାଗ କଶ୍ୟପ କହିଛନ୍ତି କି, ଶାହାରୁଖ ଖାନ ତାଙ୍କର ସିନିୟର ଥିଲେ । ଶାହାରୁଖଙ୍କ ଛାତ୍ର ଜୀବନ କଥା ମନେ ପକାଇ ଅନୁରାଗ କହିଛନ୍ତି, କେବଳ ପାଠପଢା ନୁହେଁ କଲେଜ ହକି ଟିମରେ ଶାହାରୁଖ କ୍ୟାପଟେନ ଥିଲେ । ଏହାସହ ଅର୍ଥଶାସ୍ତ୍ରରେ ଶାହାରୁଖ ମଧ୍ୟ ଟପ୍ପର ଥିବା କଥା କହିଛନ୍ତି ଅନୁରାଗ । ଅନୁରାଗଙ୍କ କହିବା ମୁତାବକ ଯେଉଁ କାମରେ ଶାହାରୁଖ ମନୋନିବେଶ କରୁଥିଲେ, ସବୁଥିରେ ଟପ୍ପର ହେଉଥିଲେ । କେବଳ ଗୀତ ଗାଇବାରେ ସାହାରୁଖ ଦୁର୍ବଳ ଥିବା କଥା କହିଛନ୍ତି ଆଉଜଣେ ସହପାଠୀ ତଥା ଗାୟିକା ପଲାଶ ସେନ । ଶାହାରୁଖଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ ଯଦି କହିବା ସେ ଦିଲ୍ଲୀର ସେଣ୍ଟ କଲୋମ୍ବ ସ୍କୁଲରୁ ଯୁକ୍ତ ଦୁଇ ପାସ୍ କରିଥିଲେ । ଏହାପରେ ହଂସରାଜ କଲେଜରୁ ଅର୍ଥନୀତିରେ ଅନର୍ସ ସହ ବିଏ ପାସ୍ କରିଥିଲେ । ଗ୍ରାଜୁଏସନ ପରେ ଶାହାରୁଖ ଜାମିଆ ମିଲିୟା ବିଶ୍ୱବିଦ୍ୟାଳୟରେ ମାସ୍ କମ୍ୟୁନିକେସନ ଷ୍ଟ୍ରିମରେ ଆଡମିଶନ କରିଥିଲେ । ହେଲେ ଅଭିନୟ ନିଶା ଏତେ ଘାରିଥିଲା କି, ଅଧାରୁ ପାଠ ଛାଡି ସେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ ।
ବଲିଉଡରେ କାମ କରିବା ଶାହାରୁଖଙ୍କର ୩୪ ବର୍ଷ ହୋଇଗଲାଣି । ତାଙ୍କ ନାମରେ ଅନେକ ସୁପର ହିଟ୍ ସିନେମା ରହିଛି । ସେ ଯେବେ ଯେବେ ବି ବଡ଼ ପରଦାରେ ଦେଖାଦିଅନ୍ତି ବକ୍ସ ଅଫିସରେ ହଙ୍ଗାମା ହୋଇଥାଏ । ସେ କଳା ହେଉ କି ରାଜନୀତି କି ଅନ୍ୟ କିଛି କ୍ଷେତ୍ର, ଯେଉଁଠି ଅନେକ ଲୋକ ରହିଛନ୍ତି ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ବଡ଼ ବଡ଼ ପଦ ପଦବୀରେ ଥିବା ଅଧିକାରୀଙ୍କ ଠାରୁ ଢେର ଅଧିକ । ଯାହା ଶାହାରୁଖଙ୍କ କ୍ଷେତ୍ରରେ ପ୍ରଯୋଜ୍ୟ ।