କନକ ବ୍ୟୁରୋ: କେବେ ରୋଷେଇ ଶାଳରେ ସାରାଦିନ କାଟୁଥିବା ମହିଳା ଏବେ ଆତ୍ନନିର୍ଭର ହେବାପାଇଁ ବ୍ୟାକୁଳ । ନିଜେ ରୋଜଗାର କରି ପରିବାରକୁ ଆଉ ଟିକେ ଭଲରେ ରଖିବା ପାଇଁ ସଂକଳ୍ପ ନେଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଶିଆଳ ଗାଁର କିଛି ମହିଳା। ୧୦ରୁ ୧୨ ଜଣ ମହିଳା ଏକାଠି ହୋଇ ଗଢିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ । ମୁଣ୍ଡପିଛା ମାତ୍ର ହଜାରେ ଟଙ୍କା ବିନିଯୋଗ କରି ଆରମ୍ଭ କରିଥିଲେ ନିଜକୁ ସଶକ୍ତ କରିବାର ପ୍ରକ୍ରିୟା । ଏବେ ଲକ୍ଷାଧିକ ଟଙ୍କାର ବେପାର କରୁଛନ୍ତି ଏହି ମହିଳା ଗୋଷ୍ଠୀ । ହଜାରେରୁ ଲକ୍ଷେଟଙ୍କାରେ ରୋଜଗାର ପହଂଚିବା ପରେ ଅଧିକରୁ ଅଧିକ କାମରେ ଲାଗିପଡ଼ିଥିଲେ ସମସ୍ତ ସଦସ୍ୟ। ମହାବୀର ମହିଳା ସ୍ବୟଂ ସହାୟକ ନାଁରେ ଗୋଷ୍ଠୀ କରି ଏବେ ନିଜେ ରୋଜଗାରକ୍ଷମ ହେବାସହ ଅନ୍ୟମାନଙ୍କୁ ବି ଦେଉଛନ୍ତି ପ୍ରେରଣା ।
ଘରୁ ବାହାରି ଦୁନିଆକୁ କିଛି କରି ଦେଖାଇବାର ଜିଦ୍ ମହିଳା ମାନଙ୍କୁ ଏକାଠି କରିଥିଲା । କିନ୍ତୁ ଅଧିକ ପୁଂଜି ନଥିବାରୁ ଅଳ୍ପ କିଛି ଟଙ୍କା ବିନିଯୋଗରେ କିଛି କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ଏମାନେ । ନିକଟସ୍ଥ ବ୍ରହ୍ମପୁରରୁ ଛତୁ ବିହନ, ବ୍ରହ୍ମଗିରି ଅଂଚଳରୁ ନଡ଼ା ଆଣି ଛତୁ ଚାଷ କରୁଛନ୍ତି । ନିଜ ଘର କାମ ସାରି ଅପରାହ୍ନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ଚାଷରେ ବ୍ୟସ୍ତ ରହୁନ୍ତି ସମସ୍ତ ମହିଳା । ଏବେ ପ୍ରାୟ ୨ଶହ ଛତୁ ବେଡ ପ୍ରସ୍ତୁତ କରି ଦିନକୁ ପ୍ରାୟ ୫ କେଜିରୁ ଅଧିକ ପରିମାଣରେ ଛତୁ ଉତ୍ପାଦନ କରୁଛନ୍ତି । ସ୍ଥାନୀୟ ବଜାରରେ ଏମାନଙ୍କର ବିକ୍ରିବଟା ହୋଇଯାଏ । ରୋଜଗାର ବଢିଛି, ତାସହ ବି ବଢିଛି ଦାୟିତ୍ବବୋଧ। ମହିଳାଙ୍କ ଏଭଳି ଉଦ୍ୟମ ଅନ୍ୟ ମହିଳାଙ୍କ ପାଇଁ ପାଲଟିଛି ପ୍ରେରଣା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/24/mushroom-business-2025-08-24-20-49-30.jpg)