କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଇଟାଲି କ୍ରିକେଟ୍‌ ଏବେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ରହିଛି। ଇଟାଲି କ୍ରିକେଟ୍‌ରେ ଏକ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଇଟାଲି କ୍ରିକେଟ୍‌ ବୋର୍ଡ (ଫେଡେରାଜିଓନ୍‌ କ୍ରିକେଟ୍‌ ଇଟାଲିଆ ବା ଏଫସିଆରଆଇ) ତାହାକୁ ଗୁରୁତ୍ବର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି। ସୂଚନା ଅନୁସାରେ ଇଟାଲି ମହିଳା ଦଳର ସଂଯୋଜକ ତଥା ଶ୍ରୀଲଙ୍କା ବଂଶୋଦ୍ଭବ ପ୍ରଭାତ ଏନକାଲିଗୋଡାଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ଗତ ବର୍ଷ ମାର୍ଚ୍ଚ ମାସରେ ସେ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବରେ ଥିବା ବେଳେ ଜଣେ ମହିଳା କ୍ରିକେଟରଙ୍କୁ ଆପତ୍ତିଜନକଭାବେ ସ୍ପର୍ଶ କରିଥିବା ଅଭିଯୋଗ ଆସିବା ପରେ ତାଙ୍କୁ ନିଲମ୍ବିତ କରିଦିଆଯାଇଛି। 

Advertisment

ଆହୁରି ପଢ଼ନ୍ତୁ... ଇଟାଲି ମହିଳା କ୍ରିକେଟ୍‌ ଦଳରେ ଯୌନ ନିର୍ଯାତନା ଅଭିଯୋଗ

ମହିଳା ଖେଳାଳିଙ୍କ ଆଣ୍ଠୁରେ ଥିବା ଆଘାତର ଯାଞ୍ଚ ବାହାନାରେ ଏନକାଲିଗୋଡା ଅସଦାଚରଣ କରିଥିବା ରୋମ୍‌ ପୁଲିସରେ ଅଭିଯୋଗ ହୋଇଥିଲା। ଏହା ପରେ ପୁଲିସ ତାଙ୍କୁ ଜେରା କରିଥିଲା। ତେବେ ଏହି ଅଭିଯୋଗକୁ ତାଙ୍କ ଓକିଲ ଖାରଜ କରିଦେଇଛନ୍ତି ଓ କହିଛନ୍ତି ଯେ ତାଙ୍କୁ ଫସାଇବାକୁ ଏପରି ଅଭିଯୋଗ ଅଣାଯାଇଛି। ସେପଟେ ଏଫସିଆରଆଇ ପକ୍ଷରୁ କୁହାଯାଇଛି ଯେ ପୁଲିସର ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚଳିତ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସମୟରେ ବି ସେ ଇଟାଲି ଦଳ ସହିତ ଭାରତ ଆସିଥିଲେ, କିନ୍ତୁ ତାଙ୍କୁ କୌଣସି ଔପଚାରିକ ଦାୟିତ୍ବ ଦିଆଯାଇନଥିଲା।