କନକ ବ୍ୟୁରୋ: ଐତିହାସିକ ସହର କଟକରେ ବିପର୍ୟ୍ୟସ୍ତ ହୋଇପଡିଛି ରାସ୍ତାଘାଟ । ଖାଲଖମାରେ ଭର୍ତ୍ତି ହୋଇଛି ରାସ୍ତା । ଖାନନଗର ରିଙ୍ଗରୋଡ୍ ଠାରୁ ଆରମ୍ଭ କରି ପୁରୀଘାଟ, ବାଦାମବାଡି ଏବଂ ବକ୍ସିବଜାର ଭଳି ସହରର ଜନଗହଳିପୂର୍ଣ୍ଣ ମୁଖ୍ୟ ରାସ୍ତାର ଅବସ୍ଥା ସମୂର୍ଣ୍ଣ ଶୋଚନୀୟ । ଯୁଆଡେ ଚାହିଁବ ମାଳମାଳ ଖାଲ । ବର୍ଷାରେ ପିଚୁ ଉଠି ବଡ ବଡ ଗର୍ତ୍ତ ସ୍ରୁଷ୍ଟି ହୋଇଛି । ବର୍ଷା ପାଣି ଜମି ରହିଥିବା ବେଳେ ରାସ୍ତାରେ ଯାତାୟତ କରିବା ଏକପ୍ରକାର ମୁସ୍କିଲ ହୋଇପଡିଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି ।


ଆଗକୁ ଗଣେଶ ପୂଜା ଏବଂ ଦଶହରା ଭଳି ପାର୍ବଣ ଋତୁ ଆସୁଛି । ପୂଜା ପାଇଁ କଟକରେ ଲୋକଙ୍କ ଭିଡ ବଢିବା ସହ ଯାନବାହାନ ଚଳାଚଳ ମଧ୍ୟ ବଢିବ । ତେଣୁ ବିପର୍ଯ୍ୟସ୍ତ ରାସ୍ତାଘାଟ ପାଇଁ ପରିସ୍ଥିତି ସାଙ୍ଘାତିକ ହେବା ଆଶଙ୍କା ରହିଛି । ଏନେଇ ମେୟର ପ୍ରତିକ୍ରିୟା ଦେଇ କହିଛନ୍ତି ସହରର ଅଧିକାଂଶ ରାସ୍ତା ଆର୍ ଆଣ୍ଡ ବି ଅଧିନରେ ଅଛି । ରାସ୍ତା ସମସ୍ୟା ନେଇ ସବୁ ବିଭାଗ ସହ ଆଲୋଚନା ହୋଇଛି । ଗଣେଶ ପୂଜା ପାଇଁ ଖରାପ ରାସ୍ତାଗୁଡିକ କେବଳ ମରାମତି କରାଯିବ । ଗଣେଷ ପୂଜା ପରେ ବର୍ଷା କମିଲେ ସମୂର୍ଣ୍ଣ ରାସ୍ତା କାମ ହେବ ବୋଲି କହିଛନ୍ତି ମେୟର ।

କଟକରେ କେତେବେଳେ ଜଳବନ୍ଦୀ ସମସ୍ୟା ତ କେତେବେଳେ ବିପର୍ୟ୍ୟସ୍ତ ରାସ୍ତାଘାଟ ପ୍ରମୁଖ ସମସ୍ୟା ହୋଇଛି । ତେବେ ଏହି ରାସ୍ତାର ଅବସ୍ଥା କେବେ ସୁଧୁରୁଛି ତାକୁ ହିଁ ଅପେକ୍ଷା ।