କନକ ବ୍ୟୁରୋ: ସାରା ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଓ ବନ୍ୟା । ଏଭଳି ପ୍ରାକୃତିକ ବିପର୍ଯ୍ୟୟରେ ବିଶେଷ କରି ହିମାଚଳ ପ୍ରଭାବିତ ହୋଇଛି । ଏଠାରେ ପ୍ରକୃତିର ତାଣ୍ଡବରେ ଏବେ ସୁଦ୍ଧା ୭୦ ଜଣଙ୍କ ମୃତ୍ୟୁ ହେବା ସହ ୪୦୦ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା, ବନ୍ୟା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ଏପର୍ଯ୍ୟନ୍ତ ୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।
ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ଅନେକ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିଦ୍ୟୁତ ଓ ଜଳ ଯୋଗାଣ ସେବା ବି ବାଧାପ୍ରାପ୍ତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ଜୁଲାଇ ୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ।
ସିମ୍ଲା, ସୋଲାନ, ସିରମୌର, ଉନା, ବିଲାସପୁର, ହମିରପୁର, କାଙ୍ଗଡ଼ା ଓ ଚମ୍ବା ଜିଲ୍ଲାରେ ୫ ଓ ୬ ତାରିଖରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ବନ୍ୟା ଓ ଭୂସ୍ଖଳନର ଆଶଙ୍କା ରହିଛି । ରାଜ୍ୟରେ ୨୫୦ରୁ ଅଧିକ ରାସ୍ତା ବନ୍ଦ ହୋଇଥିବା ବେଳେ ୫୦୦ରୁ ଅଧିକ ବିଦ୍ୟୁତ ଟ୍ରାନ୍ସଫର୍ମର ଓ ୭୦୦ରୁ ଅଧିକ ଜଳ ଯୋଗାଣ ଯୋଜନା କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟ ସରକାର ଓ କେନ୍ଦ୍ରୀୟ ସଂସ୍ଥାମାନେ ମିଳିତ ଭାବେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି । ଭାରତୀୟ ବାୟୁସେନା ଦ୍ୱାରା ରିଲିଫ୍ କ୍ୟାମ୍ପ୍ ସ୍ଥାପନ ଓ ଖାଦ୍ୟ ପ୍ୟାକେଟ୍ ବିମାନ ମାଧ୍ୟମରେ ପଠାଯାଇଛି । ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଚିବ କହିଛନ୍ତି, ଏହି ବିପର୍ଯ୍ୟୟ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ଓ୍ୱାର୍ମିଂର ପରିଣାମ ।