Advertisment

କନକ ବ୍ୟୁରୋ : ମୌସୁମୀ ବର୍ଷା ପୂର୍ବୋତ୍ତର ରାଜ୍ୟ ପାଇଁ ନେଇ ଆସିଛି ବଡ଼ ବିପଦ । ସିକିମ,ଅରୁଣାଚଳ ପ୍ରଦେଶ, ଆସାମ ସମେତ ମଣିପୁରର ଅନେକ ଅଞ୍ଚଳର ଅବସ୍ଥା ଖରାପ ହୋଇପଡିଛି । ବିଭିନ୍ନ ରାଜ୍ୟରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ସେପଟେ ଲକ୍ଷାଧିକ ପ୍ରଭାବିତ ଓ ବାସହରାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଉଛି । ଲଗାଣ ବର୍ଷା ପୂର୍ବୋତ୍ତର ରାଜ୍ୟ ପାଇଁ କାଳ ନେଇ ଆସିଛି । ୪୮ ଘଣ୍ଟାର ଲଗାଣ ବର୍ଷା ପରେ ଅନେକ ଅଞ୍ଚଳରେ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି ଭୟଙ୍କର ଭୂସ୍ଖଳନ ତ ପୁଣି କେଉଁଠି ବନ୍ୟା ଜଳର ପ୍ରବଳ ସ୍ରୋତରେ ଆଖି ପିଛୁଳାକେ ଭାସୁଛି ଘରଦ୍ବାର । ସିକିମରେ ଥିବା ସେନା କ୍ୟାମ୍ପ୍ ଉପରେ ମାଟି ଅତଡା ଖସିବା ଫଳରେ ୩ ଜଣ ଯବାନ ସହିଦ ହେବା ସହ ୧୦ରୁ ଅଧିକ ନିଖୋଜ ଥିବା ନେଇ ସୂଚନା ମିଳିଛି । ସେପଟେ ସିକିମରେ ୩୪ ଜଣ, ଆସାମରେ ୧୦ ଜଣ,ମଣିପୁରରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରୁଛି ଏସଡିଆରଏଫ,ଏନଡିଆରଏଫ ଓ ଭାରତୀୟ ସେନା । 

ମୌସୁମୀ ବର୍ଷା ଆରମ୍ଭରୁ ପ୍ରତିବର୍ଷ ଆସାମ, ସିକିମ ପରି ପୂର୍ବୋତ୍ତର ରାଜ୍ୟରେ ବନ୍ୟା ବିଭୀଷିକା   ଦେଖିବାକୁ ମିଳେ । ପ୍ରତିବର୍ଷ ଲକ୍ଷାଧିକ ଲୋକ ବାସହରା ହେବା ସହ ଧନ ଜୀବନ କ୍ଷୟକ୍ଷତି ଘଟେ । ଜୁନ୍ ମାସରୁ ଠିକ ସେଭଳି କିଛି ପ୍ରଳୟ ସହୁଛି ପୂର୍ବୋତ୍ତର ରାଜ୍ୟ । ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେବ ହିଂସା ଜର୍ଜରିତ ମଣିପୁରକୁ ପୁଣି ମାଡ଼ି ଆସିଛି ବଡ଼ ବିପଦ । ବନ୍ୟା ଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲାର ଅବସ୍ଥା ଖରାପ ହେବାରେ ଲାଗିଛି । ଲୋକଙ୍କୁ କ୍ରେନ୍,ବୁଲଡୋଜର ସାହାଯ୍ୟରେ ଉଦ୍ଧାର କରାଯାଉଥିବା ଚିତ୍ର ସାମ୍ନାକୁ ଆସୁଛି । ଡାକ୍ତରଖାନା ଭିତରେ ପାଣି ପଶିବା ଫଳରେ ରୋଗୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଉଛି । ଆଗାମୀ ୭ ଦିନ ପାଇଁ ମଣିପୁର ସମେତ ଅଧିକାଂଶ ପୂର୍ବୋତ୍ତର ରାଜ୍ୟକୁ ହାଇଆଲର୍ଟରେ ରଖାଯାଇଛି ।