କନକ ବ୍ୟୁରୋ : ପ୍ରତିବର୍ଷ ଭଳି ଏବର୍ଷ ବି ଖରିଫ ଚାଷ ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ମଣ୍ଡିରେ ରବି ଧାନ ବିକ୍ରି, ଖରିଫ ଧାନ ବିକ୍ରି ନେଇ ପଞ୍ଜୀକରଣ ଅଡ଼ୁଆ ଚାଷୀଙ୍କୁ ନାକେଦମ୍ କରିଛି। ପୁଣି ଚାଷ ଆରମ୍ଭରୁ ବର୍ଷାର ଲୁଚକାଳି ଖେଳ, ଆଉ ଏବେ ସାର ସଙ୍କଟ । ଭାରି ଅଡୁଆ ପରିସ୍ଥିତିରେ ପକାଇଛି । ଗୋଟିଏ ଦୁଇଟି ଅଞ୍ଚଳ ନୁହେଁ, ସାରା ରାଜ୍ୟରେ ୟୁରିଆ ସାର ଅଭାବ । ସାଲେପୁରରୁ ସମ୍ବଲପୁର, ସୁନ୍ଦରଗଡ଼ରୁ କୋରାପୁଟ ସବୁଠି ସାର ଅଭାବ ନେଇ ତାତିଛନ୍ତି ଚାଷୀ । କେଉଁଠି ଲ୍ୟାମ୍ପସ୍ ଆଗରେ ଚାଷୀଙ୍କ ଭିଡ଼ ତ ପୁଣି କେଉଁଠି ରାସ୍ତାରୋକ । ଗୋଟିଏ ପରେ ସରକାର କହୁଛନ୍ତି କୃଷି ଅଧିକାରୀ କ୍ଷେତ୍ର ପରିଦର୍ଶନ କରନ୍ତୁ । ଚାଷୀଙ୍କ ପାଖକୁ ଯାଇ ସମସ୍ୟା ବୁଝି ସମାଧାନ କରନ୍ତୁ । ଏପଟେ ଚାଷୀ, ଚାଷ ସମୟରେ ଜମିଛାଡ଼ି ପ୍ରତିବାଦ, ଆନ୍ଦୋଳନରେ ସମୟ ସାରୁଛନ୍ତି ।
ସେହିପରି ସମ୍ବଲପୁର ଜିଲ୍ଲାର ବିଭିନ୍ନ ପ୍ୟାକ୍ସରେ ସମାନ ଅବସ୍ଥା । ୪ ହଜାର ଏକରକୁ ମାତ୍ର ୧୫ଶହ ପ୍ୟାକେଟ୍ ୟୁରିଆ ସାର ଆସିଛି । ସମ୍ବଲପୁର ୧ ନମ୍ବର ୱାର୍ଡର ଚାଉରପୁର ପ୍ୟାକ୍ସରେ ୟୁରିଆ ଅଭାବରୁ ଚାଷୀ ହଇରାଣ ହେଉଛନ୍ତି । ଆଶ୍ଚର୍ଯ୍ୟର କଥା ଚାଷୀଙ୍କୁ କେବଳ ୨ପ୍ୟାକେଟ ୟୁରିଆ ଦିଆଯାଉଥିବାରୁ ପ୍ରବଳ ଅସନ୍ତୋଷ ଝାଡ଼ିଛନ୍ତି ଚାଷୀ । ପ୍ୟାକ୍ସ ସଭାପତିଙ୍କ କହିବା କଥା ସରକାର ପର୍ଯ୍ୟାପ୍ତ ସାର ଯୋଗାଉନଥିବାରୁ ଏଭଳି ସମସ୍ୟା ଉପୁଜୁଛି ।
ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଦେଖାଦେଇଛି ୟୁରିଆ ସାରର ଘୋର ଅଭାବ। ଏହି ସମୟରେ କଳାବଜାରୀ ଚଳାଇଛନ୍ତି ବେପାରୀ। ଯେଉଁ ୟୁରିଆ ସାରର ଦର ୨୬୬ଟଙ୍କା ୫୦ ପଇସା ରହିଛି । ତାହା ଏବେ କଳାବଜାରରେ ଚାଷୀଙ୍କୁ ୭ଶହରୁ ୮ଶହ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ଏବେ ଧାନ ସାର ଖୋଜୁଥିବା ବେଳେ ଅଧିକ ଟଙ୍କାରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ଏହିଭଳି କିଛି ଗୁରୁତର ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ଼ର ଚାଷୀ।
ସେହିପରି ସାର ନମିଳିବାରୁ ତାତିଲେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଚାଷୀ। ଗୋଟିଏ ଆଧାରକାର୍ଡକୁ ଗୋଟିଏ ବସ୍ତା ସାର ଦେଉଛି ଲ୍ୟାମ୍ପସ୍। ପର୍ଯ୍ୟାପ୍ତ ସାର ନମିଳିବାରୁ ଲ୍ୟାମ୍ପସରେ ତାଲା ପକାଇଦେଲେ ଚାଷୀ। ଦୀର୍ଘ ଏକମାସ ହେଲା ଚାଷ କାମ ସାରଛି। ବୈପାରିଗୁଡା ଲ୍ୟାମ୍ପସରେ କୌଣସି ପ୍ରକାର ସାର ଦିଆଯାଉନାହିଁ। ସରକାରୀ ନିୟମ ପ୍ରକାରେ ଧାନ ରୋଇବାର ୨୧ ଦିନ ପରେ ଜମିରେ ସାର ପକେଇବା କଥା। କିନ୍ତୁ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ସାର ଦିଆଯାଇନାହିଁ। ଗୋଟିଏ ଆଧାରକାର୍ଡରେ ଯଦି ଗୋଟିଏ ବସ୍ତା ସାର ଦିଆଯିବ ତେବେ ୧୦ ଏକର ଜମି ଚାଷ କରୁଥିବା ଚାଷୀ ଗୋଟିଏ ବସ୍ତା ନେଇ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଜୟ ଯବାନ ଜୟ କିଷାନ ସ୍ଲୋଗାନ୍ର କିଛି ମୂଲ୍ୟ ନାହିଁ ବୋଲି କହିଛନ୍ତି। ଯଥାଶୀଘ୍ର ଯଦି ପର୍ଯ୍ୟାପ୍ତ ପରିମାଣର ସାର ବଣ୍ଟନ କରାନଯାଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବୈପାରିଗୁଡ଼ା ଚାଷୀ। ଲ୍ୟାମ୍ପସ୍ ଏମ୍ଡି ଅନୁପସ୍ଥିତ ଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ବୋରିଗୁମ୍ମାରେ ମଧ୍ୟ ସାର ଅଭାବ ଯୋଗୁଁ ଜାତୀୟ ରାଜପଥ ୬୩ ଅବରୋଧ କରିଥିଲେ ଚାଷୀ । ଯେଉଁ ପର୍ଯ୍ୟନ୍ତ ସାର ନମିଳିବ ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯିବ ବୋଲି କହିଛନ୍ତି ଚାଷୀ। ରାସ୍ତାର ଦୁଇ ପଟେ ଅଟକି ରହିଛି ଶହଶହ ଗାଡ଼ି । ରାସ୍ତାରୋକ ଖବର ପାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ, ତହସିଲଦାର, ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ମିଶ୍ର ପହଂଚି ଚାଷୀଙ୍କୁ ବୁଝାସୁଝା କରିଛନ୍ତି । ବୋରିଗୁମ୍ମା ଥାନା ଅଧିକାରୀ ଶ୍ବେତପଦ୍ମା ସେଠ, ଏଏସଆଇ ସସ୍ମିତା ନାୟକ ପହଞ୍ଚିବା ପରେ ରାସ୍ତାରୋକ ହଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/21/26-2025-08-21-18-27-03.jpg)