କନକ ବ୍ୟୁରୋ : ଆହୁରି ୨୪ ଘଣ୍ଟା ରାଜ୍ୟରେ ଅନୁଭବ ହେବ ପ୍ରବଳ ଶୀତ । ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଓଡିଶା । ତେବେ ନୂଆ ବର୍ଷରେ ଶୁଖିଲା ପାଗ ସହ ପ୍ରବଳ ଶୀତ ସମ୍ଭାବନା ରହିଥିବା ବେଳେ ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଂଟାରେ ରାତି ତାପମାତ୍ରା ୨ରୁ ୪  ଡ଼ିଗ୍ରୀ ହ୍ରାସ ପାଇବା ସହ  ପ୍ରବଳ ଶୀତ  ଅନୁଭବ ହେବ । ପରେ ଆସନ୍ତାକାଲିଠୁ  ୪ ଦିନ  ଯାଏ ତାପମାତ୍ରାରେ କୌଣସି  ପରିବର୍ତନ ହେବାର ସମ୍ଭାବନା ନଥିବା କହିଛି ବିଭାଗ ।   

Advertisment

ସେପଟେ ଆସନ୍ତା  ୪୮ ଘଣ୍ଟା ଯାଏଁ ରାଜ୍ୟରେ ବିଭିନ୍ନ  ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨ ଜିଲ୍ଲା ଯେମିତିକି କନ୍ଧମାଳ, ଏବଂ ଅନୁଗୁଳରେ ଘନ କୁହୁଡିକୁ  ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଂଜାମ, ଗଜପତି, କଳାହାଣ୍ଡି  ଓ ନୟାଗଡ଼ରେ ହାଲୁକରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ । ସେପଟେ ଚଳିତ ବର୍ଷ ଡିସେମ୍ବର ମାସରେ ୨ ଟି ସ୍ପେଲରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଥିବା ବେଳେ ଜାନୁଆରୀରେ ମଧ୍ୟ ଶୀତର ପ୍ରକୋପ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି । 

ଅନ୍ୟପଟେ ଗତ ୨୪ ଘଂଟାରେ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ  ପାଇଥିବା  ବେଳେ ପ୍ରବଳ ଶୀତ ଅନୁଭବ ହୋଇଛି । ତେବେ ଝାରସୁଗୁଡାରେ  ସର୍ବନିମ୍ନ  ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାହାଡିଆ  ଅଂଚଳରେ ସର୍ବନିମ୍ନ  ତାପମାତ୍ରା ଜି ଉଦୟଗିରିରେ  ୬.୨ ଡିଗ୍ରୀ  ରହିଥିବା ବେଳେ   ସର୍ବାଧିକ  ତାପମାତ୍ରା ପାରଳାଖେମୁଣ୍ଡି ରେ  ୩୧.୮  ଡିଗ୍ରୀ  ରେକର୍ଡ  କରାଯାଇଛି ।