କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ବାରିପଦା ରକ୍ତଭଣ୍ଡାରରେ ରକ୍ତ ସଙ୍କଟ । ରୋଗୀଙ୍କୁ ମିଳୁନି ରକ୍ତ । ସବୁଠାରୁ ବଡ଼ କଥା ହେଲା, ଭଣ୍ଡାରରେ ନେଗେଟିଭ୍‌ ରକ୍ତ ଆଦୌ ନାହିଁ । ଏଭଳି ଏକ ଗମ୍ଭୀର ପରିସ୍ଥିତିକୁ ଟାଳିବା ଲାଗି ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଅନୁରୋଧ କରିଛନ୍ତି କର୍ତ୍ତୃପକ୍ଷ ।

Advertisment

ସହରର ଆକାର ବଢ଼ୁଛି ଓ ଲୋକସଂଖ୍ୟା ବି । ଅନୁରୂପ ଭାବେ ବୃଦ୍ଧିପାଉଛି ରୋଗୀଙ୍କ ସଂଖ୍ୟା । ଏଣୁ ରକ୍ତର ଚାହିଦା ବି ବଢ଼ୁଛି । କିନ୍ତୁ ଭଣ୍ଡାରରେ ମହଜୁଦ ନ ଥିବା କାରଣରୁ ଜରୁରୀ ସମୟରେ ରୋଗୀକୁ ରକ୍ତ ଦେବା ସମ୍ଭବ ହେଉନାହିଁ । ପରିଣାମ ହେଲା ଜୀବନ ସହ ଲଢ଼େଇ କରୁଛି ରୋଗୀ । ନାକେଦମ ହେଉଛନ୍ତି ରୋଗୀଙ୍କ ସଂପର୍କୀୟ । ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ସଂଖା ହ୍ରାସ ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।

ମିଳିଥିବା ତଥ୍ୟ ଅନୁସାରେ, ୨୦୨୨ରେ ବାରିପଦାରେ ରକ୍ତଦାନ ଶିବିର ଓ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଜରିଆରେ ସଂଗୃହୀତ ହୋଇଥିଲା ମୋଟ୍‌ ୧୦, ୫୭୭ ୟୁନିଟ ରକ୍ତ । ସେହିପରି ୨୦୨୩ରେ ୧୨,୪୩୯ ୟୁନିଟ୍‌, ୨୦୨୪ରେ ୧୩, ୮୭୩ ୟୁନିଟ୍‌, ୨୦୨୫ରେ ଅକ୍ଟୋବରର ପର୍ଯ୍ୟନ୍ତ ୧୨, ୫୦୪ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି । ଏହା ସତ୍ତ୍ୱେ ରକ୍ତର ଅଭାବ ଚିନ୍ତାର କାରଣ ପାଲଟିଛି ।

ଡାକ୍ତର ସୌମ୍ୟରଞ୍ଜନ ନାୟକଙ୍କ କହିବାନୁଯାୟୀ, ବର୍ତ୍ତମାନ ରକ୍ତ ଭଣ୍ଡାରରେ ମାତ୍ର ୧୨୮ ୟୁନିଟ୍‌ ରକ୍ତ ରହିଛି । ଯାହା ଜରୁରୀ ସମୟରେ ପ୍ରତିବଦଳରେ ଦିଆଯାଇପାରିବ । ହେଲେ ୪ଟି ନେଗେଟିଭ୍ ବର୍ଗ (ଏ, ବି, ଓ, ଏବି) ରକ୍ତ ଆଦୌ ନଥିବା ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ଜିଲ୍ଲାରେ ରକ୍ତ ଅଭାବ ପୂରଣ ପାଇଁ ବ୍ୟାପକ ଭାବେ ରକ୍ତଦାନ ଶିବିର ଜରିଆରେ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିବାକୁ ନିବେଦନ କରାଯାଇଛି ।