କାହାକୁ ମିଳିବ ନିଗମ ମୁଆଁ? ଅଙ୍କ କଷୁଛନ୍ତି ମୋହନ ସରକାର

ରାଜ୍ୟରେ ଖାଲି ପଡ଼ିଛି ଅନେକ ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ । ନିଯୁକ୍ତି ନେଇ ଛିଡୁନି ସରକାରଙ୍କ ଅଙ୍କକଷା । ପରଦା ପଛରେ ରହି ଦାୟିତ୍ୱ ନେଉଥିବା ନେତାଙ୍କୁ ଥଇଥାନ କରିବାକୁ ଚାଲିଛି ଯୋଜନା ।

4limited

କନକ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ ପୂରିଛି ୪ ମାସ, ଏବେ ବି ଖାଲି ପଡିଛି ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ । ବିଜେପି ସରକାରଙ୍କ ଅଙ୍କକଷା ଚାଲିଥିବା ବେଳେ ଅଙ୍କ କିନ୍ତୁ ଛିଡୁନି । କେବଳ ବୋର୍ଡ ଓ ନିଗମ ନୁହେଁ, ବିଭିନ୍ନ କମିଶନ ଓ ଏକାଡେମୀ ଗୁଡିକର ପଦବୀ ମଧ୍ୟ ଖାଲି ପଡ଼ିଛି । 

ରାଜ୍ୟରେ ୩୭ରୁ ଅଧିକ ନିଗମ ଓ ବୋର୍ଡ ରହିଛି
କମିଶନ, ଏକାଡେମୀ ଏବଂ ଉନ୍ନୟନ ପରିଷଦର ମୁଖିଆ ପଦବୀ ଖାଲି ପଡ଼ିଛି 
ରାଜ୍ୟ ହାଉସିଂ ବୋର୍ଡ, ମହିଳା ସମବାୟ ବିକାଶ ନିଗମ
ଓଡ଼ିଶା ସମବାୟ ବ୍ୟାଙ୍କ, ରାଜ୍ୟ ପର୍ଯ୍ୟଟନ ନିଗମ 
ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ କାଜୁ, ଚଳଚ୍ଚିତ୍ର, ମତ୍ସ୍ୟ ନିଗମ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ନିଗମରେ ନିଯୁକ୍ତି ହୋଇନାହିଁ । 

କାହାକୁ ମିଳିବ କେଉଁ ପଦବୀ?

ରାଜ୍ୟରେ ପ୍ରଥମଥର ବିଜେପି ସରକାରକୁ ଆସିଛି । ପରଦା ପଛରେ ରହି ସଙ୍ଗଠନର ଦାୟିତ୍ୱ ନେଉଥିବା ନେତାଙ୍କୁ ଦଳ ବୋର୍ଡ, ନିଗମରେ ଥିବା ପଦ ପଦବୀରେ ଥଇଥାନ କରିବାକୁ ଯୋଜନା କରୁଛି। ଗୋଲକ ମହାପାତ୍ର, ସଜ୍ଜନ ଶର୍ମା, ବିରଞ୍ଚି ତ୍ରିପାଠୀ, ସୀମାଞ୍ଚଳ ଖଟେଇ, ଯତୀନ ମହାନ୍ତି, ସାରଦା ଶତପଥୀ, ରାଜେନ୍ଦ୍ର ପଣ୍ଡା, ସୁରଥ ବିଶ୍ୱାଳ, ଦିଲ୍ଲୀପ ମହାନ୍ତି, ଦିଲ୍ଲୀପ ମଲ୍ଲିକ, ମନୋଜ ମହାପାତ୍ର, ସୁଜିତ ଦାସ, ଅନୀଲ ବିଶ୍ୱାଳ, ଜୟନ୍ତ ଜେନାଙ୍କ ଭଳି ନେତା ସଂଗଠନ ଦାୟିତ୍ୱରେ ରହିଥିଲେ ।

ସେହିଭଳି ନିର୍ବାଚନ ଲଢ଼ି ହାରିଥିବା ଦଳର ବରିଷ୍ଠ ନେତାଙ୍କୁ ଦଳ ବଡ଼ ପଦ ପଦବୀ ଦେଇପାରେ । ଏମାନଙ୍କ ଭିତରେ ଅଛନ୍ତି ପ୍ରଦୀପ୍ତ ନାୟକ, ଜଗନ୍ନାଥ ପ୍ରଧାନ, ଗୌତମ ରାୟ, ପ୍ରିୟଦର୍ଶୀ ମିଶ୍ର, ସଂଜୀବ ସାହୁ, ସୁବାସ ପାଣିଗ୍ରାହୀ, କୁସୁମ ଟେଟେ, ନାଉରୀ ନାୟକ। 

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ସମୀର ଦାଶ ଓ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଭଳି ନେତାଙ୍କୁ ବି ମିଳିପାରେ ଗୁରୁତ୍ୱପୂର୍ଣ୍ଣ ପଦବୀ। ଏହାସହ ମହିଳାଙ୍କ କ୍ଷେତ୍ରରେ ଐଶ୍ୱର୍ଯ୍ୟା ବିଶ୍ୱାଳ , ସ୍ମୃତି ପଟ୍ଟନାୟକ, କସ୍ତୁରୀ ମିଶ୍ରଙ୍କ ଭଳି ଚେହେରା ପ୍ରମୁଖତା ପାଇପାରନ୍ତି । କଳା ଜଗତରୁ ଆସି ବିଜେପିରେ ଯୋଗ ଦେଇଥିବା ଅରିନ୍ଦମ୍ ରାୟ, ଶ୍ରୀତମ ଦାସ, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଏବଂ ପଞ୍ଚାନନ ନାୟକଙ୍କ ଭଳି ନେତା ବି ଥଇଥାନ ହୋଇପାରନ୍ତି ।

ଜୁନ ୨୨ ତାରିଖରେ ବୋର୍ଡ ଓ ନିଗମରେ ଗୁଣାତ୍ମକ ଉନ୍ନତି ହେଉନଥିବା ଅଭିଯୋଗ ଆଣି ଅଧ୍ୟକ୍ଷମାନଙ୍କୁ ପଦରୁ ଅବ୍ୟାହତି ଦେଇଥିଲେ ମୋହନ ସରକାର। ସେବେଠାରୁ ଆଜି ପର୍ଯ୍ୟନ୍ତ ଖାଲି ପଡିଥିବା ପଦ ପଦବୀ ନେଇ ପଦକ୍ଷେପ ନେଇ ନାହାନ୍ତି ରାଜ୍ୟ ସରକାର। ଉପଦେଷ୍ଟା ନାଁରେ ଶତାଧିକ ନେତାଙ୍କୁ ଥଇଥାନ କରିଥିଲେ ପୂର୍ବ ବିଜେଡି ସରକାର। ତେଣୁ ମୋହନ ସରକାର ଏଗୁଡିକର ପୁନଃ ନିଯୁକ୍ତି କରି ନେତାଙ୍କୁ ଥଇଥାନ କରାଇବେ ନା ନାହିଁ ତାହା ଏବେ ଚର୍ଚ୍ଚାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe