କନକ ବ୍ୟୁରୋ: ଡେରାଡୁନ୍‌ରେ ଗୋଟିଏ ପରିବାରର ୭ ଜଣଙ୍କ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ପ୍ରବୀଣ ମିତ୍ତଲଙ୍କୁ କାର ଭିତରୁ ଉଦ୍ଧାର କରିଥିଲେ ଜଣେ ସ୍ଥାନୀୟ ଯୁବକ । ଏହାକୁ ନେଇ ଯୁବକ ଜଣକ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।  ପ୍ରବୀଣ ମୃତ୍ୟୁର ୫ ମିନିଟ୍‌ ପୂର୍ବରୁ ପୁନିତ ରାଣା ନାମକ ଯୁବକଙ୍କୁ କହିଥିଲେ, ମୋ ପାଖରେ କେବଳ ୫ ମିନିଟ୍‌ ବାକି ଅଛି । ମୁଁ ବିଷ ପିଇ ଦେଇଛି । ଏହାପରେ ଅନ୍ୟ କିଛି ସ୍ଥାନୀୟ ବାସିନ୍ଦା ତାଙ୍କୁ ପାଣି ପିଆଇବାକୁ ଚେଷ୍ଟା କରିଥିଲେ । ହେଲେ ଏହି ପରିବାର କୌଣସି ସଦସ୍ୟଙ୍କ ଜୀବନ ବଞ୍ଚି ପାରିନଥିଲା । 

Advertisment

ପାର୍କିଂ ହୋଇଥିବା କାର ଭିତରେ ପୂରା ପରିବାରର ମୃତ୍ୟୁ ହୋଇଛି । ଉତ୍ତରାଖଣ୍ଡ ଡେରାଡୁନରେ କାର ଭିତରୁ ଏକ ପରିବାରର ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ବାପା, ମା, ତିନି ପିଲା ଓ ପରିବାରର ଅନ୍ୟ ସଦସ୍ୟ ଅଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି । ଡେରାଡୁନ ପଞ୍ଚକୁଳ ସେକ୍ଟର ୨୭ରେ ପାର୍କିଂ ହୋଇଥିବା ଏକ କାର୍‌ରୁ ମୃତଦେହ ମିଳିଛି । କାରଟି ଲକ୍‌ ହୋଇଥିବା ବେଳେ ପରିବାର ଲୋକେ କାର ଭିତରେ ଥିଲେ । ଅଧିକ ପରିମାଣର ଋଣ ଚାପ ଥିବାରୁ ପରିବାର ଲୋକେ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତକମାନେ ଡେରାଡୁନର ପ୍ରବୀଣ ମିତ୍ତଲଙ୍କ ପରିବାର ସଦସ୍ୟ ବୋଲି ସୂଚନା ମିଳିଛି । ସୋମବାର ଏହି ପରିବାର ପଞ୍ଚକୁଳ ବୁଲିବାକୁ ଆସିଥିଲା । ମୃତକଙ୍କ ମଧ୍ୟରେ ୪୨ ବର୍ଷୀୟ ପ୍ରବୀଣ ମିତ୍ତଲ, ତାଙ୍କ ପତ୍ନୀ ଏବଂ ଦୁଇ ଝିଅ, ଗୋଟିଏ ପୁଅ ଓ ପରିବାରର ଅନ୍ୟ ଲୋକ ଅଛନ୍ତି ।  ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏସମ୍ପର୍କରେ ପଞ୍ଚକୁଳ ଏସ୍‌ପି ହିମାଦ୍ରୀ କୌଶିକ୍ ସୂଚନା ଦେଇଛନ୍ତି ।