କନକ ବ୍ୟୁରୋ: ଓଡ଼ିଆ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସମାଧି ପୀଠକୁ କେବେ ମିଳିବ ନ୍ୟାୟ? ୧୫ ବର୍ଷ ଭଣ୍ଡାଇ ଭଣ୍ଡାଇ ଗଲେ ପୂର୍ବ ସରକାର, ବର୍ତ୍ତମାନ ସରକାରରେ ଏଥରକୁ ମିଶାଇ ଦୁଇ ଥର ଜୟନ୍ତୀ ପାଳନ ହେଲାଣି । ମାତ୍ର ଆଜି ବି ଅବହେଳିତ ଅବସ୍ଥାରେ ପଡ଼ିରହିଛି ମଠ। ଅନ୍ୟପଟେ ଜିଲ୍ଲା ସଂସ୍କୃତି ଅଧିକାରୀ କହିଛନ୍ତି ମଠର ବିକାଶ ପାଇଁ ASIକୁ ଦାୟିତ୍ୱ ଦିଆଯାଇଛି।..
ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଶେଷ ସାଧନା ପୀଠ ପୁରୀର ସାତ ଲହଡ଼ି ମଠ। କର୍ପୂର ଉଡ଼ିଯାଇଛି, କନା ପଡ଼ି ରହିଛି। ମଠ ଉପରେ ପଡିଛି ମାଫିଆଙ୍କ ଲୋଲୁପ ଦୃଷ୍ଟି। ୭ ଏକରରୁ ଏବେ ଏହା ୩ ଏକରରେ ଆସି ପହଞ୍ଚିଲାଣି। ଯାହାକୁ ନେଇ ଏବେ ସଙ୍କଟରେ ମଠର ଅସ୍ତିତ୍ବ। ଦାନ ସୂତ୍ରରେ ମିଳିଥିବା ୨ ଏକର ୫୨ ଡିସିମିଲ ଜମିରୁ ଜବରଦଖଲରେ ରହିଛି ୧ ଏକରରୁ ଅଧିକ ଜାଗା। ୨୦୨୨ରୁ ମଠ ପରିସରରେ ସରକାରୀ ଅଫିସ ମଧ୍ୟ ନିର୍ମାଣ ହୋଇଛି । ୧୫ ବର୍ଷ ତଳୁ ଏକ କମିଟି ବି ଗଠନ ହୋଇଥିଲା। ମାତ୍ର ଏବେ କାହାର ଦରଦ ନାହିଁ।
ମହନ୍ତ ଦାୟିତ୍ୱରେ ଥିବା ବ୍ରହ୍ମଚାରୀ ବାମଦେବଙ୍କ ମୃତ୍ୟୁ ପରେ ଏବେ ବନ୍ଦ ପଡ଼ିଛି ତାଙ୍କ କୋଠରୀ। ଅତିବଡ଼ୀଙ୍କ ସମସ୍ତ ସଂଗ୍ରହ ଏବେ ତା ଭିତରେ ହିଁ ରହିଛି । ତାକୁ ଖୋଲିବାକୁ ପ୍ରଶାସନ ଅନୁମତି ନଥିବାରୁ ତାଙ୍କର ସବୁ ପୁସ୍ତକର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଜିଲ୍ଲା ସଂସ୍କୃତି ଅଧିକାରୀ କହିଛନ୍ତି, ମଠର ବିକାଶ ପାଇଁ ଏଏସଆଇକୁ ପ୍ରସ୍ତାବ ଦିଆଯାଇଛି ।
ସାତ ଲହଡ଼ି ମଠ କେବେ ଫେରି ପାଇବ ହୃତ ଗୌରବ। କେବେ ଅତିବଡ଼ୀଙ୍କୁ ମିଳିବ ମର୍ଯ୍ୟାଦା, ତାହା ଦେଖିବାକୁ ବାକି ରହିଲା।