କନକ ବ୍ୟୁରୋ : ନିଇତି ଘଟୁଛି ଦୁର୍ଘଟଣା। ଅକାଳରେ ଚାଲି ଯାଉଛି ଜୀବନ। ଆଜି ଗୋଟିଏ ଦିନରେ ୭ ଜଣଙ୍କର ଜୀବନ ଯାଇଛି। ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ପିପିଲି ନିକଟରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ସେହିପରି ନୟାଗଡ଼ ଜିଲ୍ଲା ଭାପୁରରେ ୨ ଜଣ ଏବଂ କନ୍ଧମାଳ ଓ ଖଲିକୋଟରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
ଦୁର୍ଘଟଣା କମାଇବାକୁ ସରକାର ସଡକ ସୁରକ୍ଷା ପକ୍ଷ ପାଳନ କରୁଛନ୍ତି। ଟ୍ରାଫିକ୍ ଚେକିଂ ଚାଲିଛି। ତଥାପି ଦୁର୍ଘଟଣାରେ ଲାଗୁନି ବ୍ରେକ୍। ପୁଣି ମୁଣ୍ଡ ନେଲା ୩୧୬ ନମ୍ବର ଜାତୀୟ ରାଜପଥ। ହାଇୱା ଚକା ତଳେ ଗଲା ୨ ବାଇକ୍ ଆରୋହୀଙ୍କ ଜୀବନ। ବିଳମ୍ବିତ ରାତିରେ ଭୁବନେଶ୍ବରରୁ ୩ ଜଣ ସାଙ୍ଗ ପୁରୀ ବୁଲିବା ପାଇଁ ବାଇକ୍ ଯୋଗେ ଯାଉଥିବା ବେଳେ ପିପିଲି ବାଇପାସ୍ ଦାଣ୍ଡମୁକୁନ୍ଦପୁର ନିକଟରେ ଧକ୍କା ଦେଇଥିଲା ହାଇୱା। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କର ଚିକିତ୍ସା ଚାଲିଛି।
ସେହି ପିପିଲି ନିକଟ ନିର୍ମଳା ଛକରେ ଗୋଟିଏ କାର ଡିଭାଇଡରରେ ପିଟି ହୋଇ କେନାଲ ଭିତରକୁ ପଶିଯାଇଥିଲା। କାରଟିର ବେଗ ଏତେ ଅଧିକ ଥିଲା ଯେ, ଡିଭାଇଡରଟି ଭାଙ୍ଗି ଚୁରମାର ହୋଇଛି। ଆଉ କାରରେ ଥିବା ସମସ୍ତ ୫ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ଅଧିକ ପଢ଼ନ୍ତୁ : ସକାଳୁ ସକାଳୁ ବଡ଼ ଦୁର୍ଘଟଣା
ନୟାଗଡ଼ ଜିଲ୍ଲା ଭାପୁରରେ ଦୁର୍ଘଟଣାରେ ୨ ଯୁବକଙ୍କ ଜୀବନ ଯାଇଛି। ଦ୍ରୁତ ଗତିରେ ବେପରୁଆ ଗାଡ଼ିଚାଳନା ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇ ଛିଟିକି ପଡ଼ିଥିଲେ। ସେହିପରି କନ୍ଧମାଳ ଦାରିଙ୍ଗବାଡ଼ି ଥାନା ସିର୍ସାମାହାଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି।
ଗଞ୍ଜାମ ଜିଲ୍ଲା ଖଲିକୋଟରେ ମଧ୍ୟ ଅଜଣା ଗାଡ଼ି ପିଟିଦେବାରୁ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି। ମୃତ ଯୁବକ ଜଣକ ରମ୍ଭାରୁ ଭୁବନେଶ୍ବର ଆସୁଥିବା ବେଳେ ଗାଡିଟି ଧକ୍କା ଦେଇଥିଲା। ତେବେ ସବୁଠୁ ଲୋମଟାଙ୍କୁରା ଦୁର୍ଘଟଣା ଘଟିଛି ଢେଙ୍କାନାଳରେ। ରାତିରେ ଘରେ ଶୋଇଥିଲେ ଗନ୍ଦିଆ ଥାନା କରମୂଳ ହାତିବାରୀ ଗାଁର ଅସ୍ଥିର ତରାଇ। ରାସ୍ତାରେ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ଘରର କାନ୍ଥ ଭାଙ୍ଗି ପଶିଯାଇଥିଲା। ଫଳରେ ବୃଦ୍ଧ ଅସ୍ଥିର ତରାଇଙ୍କ ମୃତ୍ୟୁ ହୋଇଛି। ବେପରୁଆ ଗାଡ଼ିଚାଳନା ଯୋଗୁଁ ପ୍ରତିଦିନ ରାଜ୍ୟରେ ଅନେକ ଜୀବନ ଦୀପ ଲିଭିଯାଉଛି। ଦୁର୍ଘଟଣା ରୋକିବାକୁ ଯେତେ ସଚେତନତା କାର୍ୟ୍ୟକ୍ରମ କରାଗଲେ ମଧ୍ୟ ସବୁ ଯେପରି ପ୍ରଭାବଶୂନ୍ୟ ହେଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/a12-2026-03-06-21-23-29.jpg)