କନକବ୍ୟୁରୋ : ସାତକୋଶିଆରେ ଚାଲିଛି ବେଆଇନ ନିର୍ମାଣ । ପର୍ଯ୍ୟଟନର ଉନ୍ନତି ପାଇଁ କୋଟି କୋଟି ଟଙ୍କାର ଚାଲିଥିବା ଏହି ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଇଛି ପ୍ରଶାସନ। ଯାହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ ପରେ ଆସନ୍ତା ୮ ତାରିଖରେ ଏହାର ଶୁଣାଣି ନେଇ ହୋଇଛି ନିଷ୍ପତ୍ତି ।
ସାତକୋଶିଆ ଅଭୟାରଣ୍ୟରେ ଚାଲିଛି ଇକୋ-ଟୁରିଜିମ ପ୍ରକଳ୍ପ । ପର୍ଯ୍ୟଟନର ଉନ୍ନତି ପାଇଁ ପ୍ରଶାସନର ଅନୁମତିରେ କରାଯାଉଥିବା ଏହା ନିର୍ମାଣ ବନ୍ୟଜନ୍ତୁ ସଂରକ୍ଷଣ ଆଇନ-୧୯୭୨କୁ ଉଲ୍ଲଙ୍ଘନ କରୁଛି । ଜୈବ ବିବିଧତା ପ୍ରଭାବିତ ହେଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା କରିଛନ୍ତି ପରିବେଶବିତ୍ ତଥା ଆଇନଜୀବୀ ଗୌରବ ବଂଶଲ। ଶୁଣାଣି ଆସନ୍ତା ନଭେମ୍ବର ୮ରେ ଏହି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ୩ ଜଣିଆ ଖଣ୍ଡପୀଠ ।
ଅଭୟାରଣ୍ୟର ଆଭ୍ୟନ୍ତର ଅଞ୍ଚଳରେ ପ୍ରକଳ୍ପ ନିର୍ମାଣ ପାଇଁ ଅନୁଗୁଳ, ନୟାଗଡ଼, ବୌଦ୍ଧ ଓ କଟକ ଜିଲ୍ଲାପାଳ ଅନୁମତି ଦେଇଛନ୍ତି । ଯଦି ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷେମ କରିବାକୁ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଞ୍ଜୁରୀ ଦିଅନ୍ତି, ତେବେ ସାତକୋଶିଆର ଜୈବ ବିବିଧତା ପ୍ରତି ଗୁରୁତର ସଙ୍କଟ ସୃଷ୍ଟି ହେବ ବୋଲି ଆଶଙ୍କା କରିଛନ୍ତି ଆଇନଜୀବୀ। ରାଜ୍ୟ ସରକାର ଏବଂ ଅଧିନସ୍ଥ ସଂସ୍ଥାଗୁଡ଼ିକ ଜାଣିଶୁଣି ପରିବେଶକୁ କ୍ଷତି ପହଞ୍ଚାଇବାକୁ ଅପଚେଷ୍ଟା କରୁଥିବା ପିଟିସନ୍ରେ ଉଲ୍ଲେଖ କରିଛନ୍ତି ଗୌରବ ବଂଶଲ। ବାଘ, ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ଭାବେ ପରିଚିତ ସାତକୋଶିଆ ଅଞ୍ଚଳ । ତେଣୁ ଏହି ଅଭୟାରଣ୍ୟ ଏବଂ ଏଠାରେ ଥିବା ଜୈବ ବିବିଧତାର ସୁରକ୍ଷା ଦିଗରେ ଧ୍ୟାନ ଦେବା ଜରୁରୀ।