କନକ ବ୍ୟୁରୋ: ତିରୁପତି ମନ୍ଦିରରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସାଦ ପ୍ରସ୍ତୁତ ହେଉଥିବା ଖବର ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିରରେ ମହାପ୍ରସାଦର ମାନ ପରୀକ୍ଷାକୁ ନେଇ ଚାଲିଛି ତର୍କ ବିତର୍କ । ମାନ ଯାଞ୍ଚ ନିଷ୍ପତ୍ତିକୁ ସୁଆର ମହାସୁଆର ନିଯୋଗ ସ୍ୱାଗତ କରିଥିବା ବେଳେ ଏଥିରେ ଆଉ କିଛିଟା ସଂସ୍କାର ଆଣିବାକୁ ଦାବି ହୋଇଛି । ସେପଟେ ଆନନ୍ଦ ବଜାରରେ ବିକ୍ରି ହେଉଥିବା ବାସି ମହାପ୍ରସାଦ ଉପରେ ଲଗାଇବାକୁ ମଧ୍ୟ ଦାବି ହୋଇଛି ।

Advertisment

ଶ୍ରୀମନ୍ଦିରରେ ମହାପ୍ରସାଦର ମାନ ଯାଞ୍ଚ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଏହାକୁ ସ୍ୱାଗତ କରିଛି ସୁଆର ମହାସୁଆର ନିଯୋଗ । ମହାପ୍ରସାଦର ମାନକୁ ନେଇ ପ୍ରଶ୍ନ ନଉଠାଇ ବରଂ ଏହାର ପ୍ରସ୍ତୁତି ପୂର୍ବରୁ ଯାଞ୍ଚ କରାଯିବାର ଆବଶ୍ୟକତା ଥିବା ନିଯୋଗ ପକ୍ଷରୁ କୁହାଯାଇଛି । ସେପଟେ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ସୁଆର ମହାସୁଆର ନିଯୋଗ ବୈଠକରେ ଆଲୋଚନା ହୋଇଛି। ଆନନ୍ଦ ବଜାରରେ ସହାୟତା କରୁଥିବା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ କୋଡ୍ ସହ ବାସି ଅବଢ଼ା ବିକ୍ରି ଉପରେ କଟକଣା ଏବଂ ଓମଫେଡ ପକ୍ଷରୁ ସବସିଡି ଦେବାକୁ ଦାବି କରିଛି ନିଯୋଗ । 
 
ଭାବର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ। ଭକ୍ତ ଦର୍ଶନାର୍ଥୀ ଶ୍ରୀଜିଉଙ୍କ ଦର୍ଶନ ପରେ ମହାପ୍ରସାଦ ପାଇ ଫେରିଥାନ୍ତି। ଏବେ ଯେଉଁ ମହାପ୍ରସାଦର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଛି। ତା’ର ମାନ କେତେକାଂଶରେ ଯାଞ୍ଚ ହେବା ଦରକାର ବୋଲି ଭକ୍ତ ଦାବି କରିଛନ୍ତି। ସେପଟେ ମନ୍ଦିରର ବିଧି ବ୍ୟବସ୍ଥାକୁ ଅନୁପାଳନ କରିବା ସହ ଦେଶର ଅନ୍ୟ ମନ୍ଦିର ଭଳି ଶ୍ରୀମନ୍ଦିରରେ ଯେପରି ଅଭିଯୋଗ ନଆସିବ, ସେଥିପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି।
 
ରୋଷଶାଳାକୁ ଜିନିଷ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢ଼ା ବାହାରିବା ପରେ ମାନ ପରୀକ୍ଷଣ ହେବ । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ସେହିପରି ଅବଢ଼ାର ଶୁଦ୍ଧତା ବଜାୟ ରଖିବା ପାଇଁ ଫୁଡ୍ ଇନ୍ସପେକ୍ଟର ନିୟୋଜିତ ରହିବେ । ତେବେ ଲୋକେ ଏହାକୁ କେତେ ଦୂର ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।