କନକ ବ୍ୟୁରୋ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ସଫଳତା, ସେବା ଓ ତ୍ୟାଗକୁ ନେଇ ଏହି ଦିବସ ପାଳନ କରାଯାଉଛି । ଏହି ଅବସରରେ ଆମେ ଏମିତି ଜଣେ ମହିଳାଙ୍କ କଥା କହିବାକୁ ଯାଉଛୁ, ଯିଏକି ତାଙ୍କ ଜୀବନକୁ ଗୋସେବା ପାଇଁ ଉତ୍ସର୍ଗ କରିଦେଇଛନ୍ତି । ସେ ରାଜାଘରର ଝିଅ..ହେଲେ ଅହଂକାର ତାଙ୍କ ପାଖ ମାଡ଼ିନି ।
ଚିନ୍ମୟୀ ଦେଓ...ରାଜ ପରିବାରର ଝିଅ ହୋଇଥିଲେ ବି ରାଜମହଲ ତାଙ୍କୁ ବାନ୍ଧି ରଖି ପାରିନି । ଯାହାଙ୍କ ସେବାରେ ଦାସଦାସୀ ଖଞ୍ଜା ହୋଇଥାନ୍ତେ, ସେ ଏବେ ଗୋସେବା କରୁଛନ୍ତି । ବଣେଇର ସ୍ବର୍ଗତ ରାଜା କଦମ୍ବ କେଶରୀ ଚନ୍ଦ୍ରଦେଓଙ୍କ ଝିଆରୀ ତଥା କଳାହାଣ୍ଡି ମଦନପୁର- ରାମପୁରର ସ୍ବର୍ଗତ ରାଜା ଦୁର୍ଗାମାଧବ ସିଂହଦେଓଙ୍କ ନାତୁଣୀ ଚିନ୍ମୟୀଙ୍କୁ ପଶୁଙ୍କ ଅକୁହା ବେଦନା ବ୍ୟଥିତ କରିଥିଲା । ମାଆଙ୍କଠାରୁ ସେ ଗୋସେବା ପ୍ରତି ଆକର୍ଷିତ ହୋଇଥିଲେ । ପ୍ରଥମେ ପୁରୀ ଶଙ୍କରାଚାର୍ୟ୍ୟଙ୍କ ଗୋବର୍ଦ୍ଧନ ମଠ ଓ ପରେ ବାଘ ଆଖଡ଼ା ମଠରେ ଚିନ୍ମୟୀ ଗୋସେବା କରୁଛନ୍ତି ।
ଗୁହାଳରୁ ଗୋବର ଉଠାଇବାଠାରୁ ଆରମ୍ଭ କରି ଗୋରୁଙ୍କ ଦେହରେ କ୍ଷତ ହୋଇଥିଲେ ମଲମ ଲଗାଇ ସୁସ୍ଥ କରିଥାନ୍ତି । ପିଲାଦିନୁ ଗୋମାତାଙ୍କ ପ୍ରତି ଭକ୍ତି ଯୋଗୁ ସେ ଏହି ସେବାରେ ନିମଜ୍ଜିତ ଅଛନ୍ତି । ଏଥିପାଇଁ ସେ ବେଶ୍ ଖୁସି । ତାଙ୍କ ବ୍ୟାଗରେ ସବୁବେଳେ ମେଡିସିନ ଓ ବ୍ୟାଣ୍ଡେଜ ସାମଗ୍ରୀ ଥାଏ । ରାସ୍ତାରେ ବି ସେ ବୁଲା ଗାଈଗୋରୁଙ୍କ ସେବା କରି ନିଜ ପରିବାରର କାମ କରିବା ଭଳି ଅନୁଭବ କରନ୍ତି ବୋଲି ଚିନ୍ମୟୀ କହିଛନ୍ତି । ୨୫ ବର୍ଷ ଧରି ଗୋମାତାଙ୍କ ସେବା କରୁଛନ୍ତି ଚିନ୍ମୟୀ । ସକାଳୁ ସନ୍ଧ୍ୟା ଯାଏଁ ସେ ଗୋମାତାଙ୍କ ସେବାରେ ଲାଗିଥାନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ଚିନ୍ମୟୀଙ୍କୁ ଆମର ଅନେକ ଏନେକ ଶୁଭେଚ୍ଛା ।