କନକବ୍ୟୁରୋ : ପବିତ୍ର ରଥଯାତ୍ରା ଅବସରରେ ପୁରୀ ବଡ଼ଦାଣ୍ଡରେ ସ୍ଥାନୀୟ ବିଦ୍ୟାଧରପୁର ଗୋଡ଼ିସାହି ଅନ୍ତର୍ଗତ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ରୋଭର୍ସ କ୍ୟାଡେଟ୍ ସେବା କାର୍ଯ୍ୟ ଯୋଗାଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଏଥିପାଇଁ ସେଠାରେ ଗତ ଜୁନ୍ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଭାରତ ସ୍କାଉଟ୍ ଏବଂ ଗାଇଡ୍ର ରାଷ୍ଟ୍ରୀୟ ତଥା ରାଜ୍ୟ ମୁଖ୍ୟାଳୟ ପକ୍ଷରୁ ଆୟୋଜିତ ସେବା ଶିବିରରେ ବିଭିନ୍ନ ରାଜ୍ୟରୁ ଆସି ରୋଭର୍ସ, ରେଞ୍ଜର୍ସ, ବରିଷ୍ଠ ସ୍କାଉଟ ଓ ଗାଇଡ୍ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ପକ୍ଷରୁ ଏଥିରେ ଭାଗ ନେବା ନିମନ୍ତେ କୃଷି ବିଭାଗ ସ୍ନାତକ ଦ୍ୱିତୀୟ ବର୍ଷ ଛାତ୍ର ଦୀପକ କୁମାର ପଣ୍ଡାଙ୍କ ନାମକୁ ଛାତ୍ର କଲ୍ୟାଣ ଡିନ୍ ପ୍ରାଧ୍ୟାପକ ଜୟପ୍ରକାଶ ଭଟ୍ଟ ଏବଂ ରୋଭର ସ୍କାଉଟ୍ ଲିଡର ଡ. ସନ୍ଦୀପ ରାଉତ ଅନୁମୋଦନ କରିଥିଲେ ।
ଶିବିରରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ଆପାତକାଳୀନ ବାହନ, ବିଶେଷକରି ଆମ୍ବୁଲାନ୍ସ ଇତ୍ୟାଦିର ନିର୍ବିବାଦ ଯାତାୟାତ ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଛି । ରୋଭର୍ସ କ୍ୟାଡେଟ୍ ମାନେ ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ ବିତରଣ, ତୀର୍ଥଯାତ୍ରୀ ସହାୟତା ଡେସ୍କ, ଦଳାଚକଟାରେ ଆହତ କିମ୍ବା ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଷ୍ଟ୍ରେଚର ସୁବିଧା ଉପଲବ୍ଧ କରାଇବା, ଶ୍ରଦ୍ଧାଳୁଙ୍କ ଉପରେ ସୁବାସିତ ଜଳ ସିଞ୍ଚନ କରିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେଠାରେ ନିଜ ନିଷ୍ଠା, ଦାୟିତ୍ବବୋଧ ଓ ସେବା କାର୍ଯ୍ୟ ଯୋଗୁଁ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀ ଦୀପକ କୁମାର ପଣ୍ଡା ଆୟୋଜକଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି ।
ଜୁନ୍ ୨୬ ତାରିଖ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ କମ୍ଭମପତି ହରିବାବୁ ମୁଖ୍ୟ ଅତିଥ୍ ଭାବରେ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ଭାରତ ସ୍କାଉଟ୍ ଆଣ୍ଡ୍ ଗାଇଡ ର ବରିଷ୍ଠ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ମୁଖ୍ୟ ଆୟୁକ୍ତ ଡ. କାଳିପ୍ରସାଦ ମିଶ୍ର, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ଅତିଥ୍ ଭାବରେ ଯୋଗ ଦେଇଥିଲେ ।
ଦୀପକ କୁମାର ପଣ୍ଡାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ତାଙ୍କୁ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ତେଜପ୍ରତାପ, କାର୍ଯ୍ୟନିର୍ବାହୀ କୁଳସଚିବ ଅନିଲ କୁମାର ଶର୍ମା ଓ କାର୍ମିକ ନିର୍ଦ୍ଦେଶକ ସ୍ବାମୀ ସତ୍ୟଚୈତନ୍ୟ ଭୂୟସୀ ପ୍ରଶଂସା କରିବା ସହ ଆଗକୁ ମଧ୍ୟ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ପକ୍ଷରୁ ଏଭଳି ସେବା କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ।