କନକ ବ୍ୟୁରୋ : ଯାଜପୁର ଟାଉନ ଥାନା ଅନ୍ତର୍ଗତ ଚଇନପୁର ପଞ୍ଚାୟତ ଗୁରୁଦାସପୁର ଗାଁରେ ରହିଛି ଚୈତନ୍ୟ ମଠ । ବର୍ତ୍ତମାନର ମହନ୍ତ ମଠ ସମ୍ପତ୍ତିକୁ ଲୁଟି ନେଇଥିବା ଅଭିଯୋଗ ହୋଇଛି । ମହନ୍ତ ନିମାଇଁ ଚରଣ ଦାସ ୮ ବର୍ଷ ବୟସରେ ଗଂଜାମରୁ ଯାଜପୁର ଆସିଥିଲେ । ୧୯୯୧ରେ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରି ମଠର ମହନ୍ତ ଦାୟିତ୍ବ ଦେଇଥିଲେ ତତ୍କାଳୀନ ମହନ୍ତ ନରସିଂହ ଚରଣ ଦାସ। ଆଉ ଏବେର ମହନ୍ତ ନିଜ ପୁତୁରାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରି ମଠ ସମ୍ପତ୍ତି ହଡ଼ପ କରିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । ମହନ୍ତ ଏହାକୁ ଖଣ୍ଡନ କରିଥିବା ବେଳେ ଗ୍ରାମବାସୀ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।
୧୩୪୦ ମସିହାରୁ ରହିଛି ଗୁରୁଦାସପୁର ବାବା ଚୌତନ୍ୟଙ୍କ ମଠ। ଏଣ୍ଡାମେଣ୍ଟରେ ଏହା ପଂଜୀକୃତ ହୋଇଛି। ଜଣେ ଅବିବାହିତ ବ୍ରାହ୍ମଣଙ୍କୁ ମହନ୍ତ ଭାବେ ମଠର ରକ୍ଷଣବେକ୍ଷଣ ଦାୟିତ୍ୱ ଦେବାକୁ କାଗରପତ୍ରରେ ଉଲ୍ଲେଖ ରହିଛି। ପୂର୍ବରୁ ୬ ଜଣ ଅବିବାହିତ ମହନ୍ତ ମଠର ଦାୟିତ୍ବ ଭାର ତୁଲାଇଛନ୍ତି । ବର୍ତ୍ତମାନର ମହନ୍ତ ନିମାଇଁ ଚରଣ ଦାସ ୩୩ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ସେ ନିୟମକୁ ଉଲଘଂନ କରି ନିଜର ବିବାହିତ ପୁତୁରାକୁ ଶିକ୍ଷ୍ୟ ରୂପେ ଗ୍ରହଣକ କରି ବିବାଦୀୟ ହୋଇପଡ଼ିଛନ୍ତି । ମଠର ଏକର ଏକର ସମ୍ପତି ହଡ଼ପ କରିବା ପାଇଁ ଏଭଳି ଯୋଜନା ଚାଲିଥିବା ଅଭିଯୋଗ ହୋଇଛି। ପୂର୍ବରୁ ମହନ୍ତ ଅନେକ ମଠ ସମ୍ପତ୍ତି ବିକ୍ରି କରିସାରିଥିବା ବେଳେ ଏବେ ଚଞ୍ଚକତା କରି ସମ୍ପତି ହାତେଇବାର ଯୋଜନା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଗଞ୍ଜାମରୁ ଆସିବା ବେଳେ ଏକା ଆସିଥିଲେ। ଏବେ ମହନ୍ତଙ୍କ ପୁରା ପରିବାର ମଠ ସମ୍ପତ୍ତି ଉପରେ ଆସ୍ଥାନ ଜମାଇ ବସିଛନ୍ତି। ପୁରା ଘଟଣାରେ ସ୍ୱଚ୍ଛତା ଆଣିବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି।