କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଦୁଷ୍କର୍ମ ଘଟଣା । ବାଲେଶ୍ବର ଏଫଏମ୍ ଛାତ୍ରୀ ପୋଡ଼ି ଘଟଣା ପରେ ଏ ଜଘନ୍ୟ ଘଟଣା ଯେପରି ଜୋର ଧରିଛି ।  ତା’ପରକୁ ପର ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଘଟଣା ଘଟିଚାଲିଛି ।  ବାଲେଶ୍ବର ଘଟଣା ଦୁଷ୍କର୍ମ ଘଟଣା ହୋଇନଥିଲେ ବି ଏ ଘଟଣା ପରେ କିନ୍ତୁ ଦୁଷ୍କର୍ମ ଓ ନିଜର ପାଶବିକ ପ୍ରବୃତ୍ତିକୁ ଚରିତାର୍ଥ କରିବାକୁ ଯାଇ ଯୁବତୀଙ୍କୁ ପୋଡ଼ିଦେବା ଘଟଣା ବଢ଼ିବାରେ ଲାଗିଛି ।  ଆଜି ଗୋଟିଏ ଦିନରେ, ସକାଳୁ ସକାଳୁ ୪ ଟି ଦୁଷ୍କର୍ମ ଓ ଅସଦାଚରଣ ଘଟଣା ପୂରା ଜନମାନସକୁ ବ୍ୟଥିତ କରିଛି ।

Advertisment

ବଳଙ୍ଗାରେ ଛାତ୍ରୀଙ୍କୁ ୩ ଜଣ ଯୁବକ ପୋଡ଼ିଦେବା ଘଟଣାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ପାଖାପାଖି ୭୫ ପ୍ରତିଶତ ପୋଡ଼ିଯାଇଥିବା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସରେ  ଚିକିତ୍ସା କରାଯାଉଛି । ତାଙ୍କ ଚିକିତ୍ସା ପାଇଁ ଭୁବନେଶ୍ବରରୁ ଡାକ୍ତରୀ ଟିମ୍ ମଧ୍ୟ ଯାଇଛି । ଏପଟେ ଘଟଣା ଘଟିଥିବା ଅଞ୍ଚଳରେ ତନାଘନା ଚଳାଇଛି ପୁଲିସ ।

ଏ ଘଟଣାର ନିଆଁ ନଲିଭୁଣୁ ଆଜି ସକାଳୁ ସକାଳୁ ଲଗାତାର ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ  । କଟକରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଆଜି ଦ୍ବିତୀୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଜଗତସିଂହପୁର ଏସ୍‌ପି ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ଧରିବା ପାଇଁ ଟିମ୍ ଗଠନ ହୋଇଛି । ଏସ୍‌ପିଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଗଠନ କରାଯାଇଛି । ବାନ୍ଧବୀଙ୍କ ସହ ଆସୁଥିବାବେଳେ ବିଲକୁ ଟେକି ନେଇ ଦୁଇ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା  । ଗୁରୁତର ଅବସ୍ଥାରେ ୧୮ ବର୍ଷିୟ ଛାତ୍ରୀ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସଦର ଥାନା ମଜୁରାଇ ଚାନ୍ଦଗଡ଼ ଅଞ୍ଚଳର ଯୁବତୀ ରାତି ପ୍ରାୟ ୮ଟା ବେଳେ ଏକ ଜନ୍ମଦିନ ଉତ୍ସବକୁ ଯାଉଥିଲେ । ଜନ୍ମଦିନରେ ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତା ଦେଇ ବାନ୍ଧବୀଙ୍କ ସହ ଯାଉଥିବା ସମୟରେ ଦୁଇ ଜଣ ଯୁବକ ପୀଡ଼ିତାଙ୍କ ପାଟିକୁ ବନ୍ଦ କରି ଟେକି ନେଇ ଦୁଷ୍କର୍ମ କରିଥିଲେ  । ତେବେ ଯୁବତୀ ଜଣକ ଚିତ୍କାର କରି ନିଜ ଘରକୁ ଦୌଡ଼ି ପଳେଇ ଆସିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା  । ଏ ନେଇ ପୀଡ଼ିତାଙ୍କ ବାପା ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି । 

ଯାଜପୁରରେ ମଧ୍ୟ ଘଟିଛି ଦୁଷ୍କର୍ମ । ଏକ ଜନ୍ମଦିନ ଉତ୍ସବକୁ ଯାଉଥିବାବେଳେ ଯୁବତୀଙ୍କୁ ଉଠାଇନେଇ ଦୁଷ୍କର୍ମ ହୋଇଥିବା ଖବର ଆସିଛି । ତେବେ ନାବାଳିକା କ୍ରୀଡ଼ାବିତ୍‌ଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ୪ ଜଣଙ୍କୁ ଉଠାଇ ଆଣିଲା ପୁଲିସ । ମୁଖ୍ୟ ଅଭିଯୁକ୍ତଙ୍କୁ ମିଶାଇ ଏବେ ମୋଟ ୪ ଜଣ ପୁଲିସ କବଜାରେ। ଦିନ ସାଢ଼େ ୧୨ଟାରେ ସାମ୍ବାଦିକ ସମ୍ମିଳନୀ କରି ପୂରା ଘଟଣା ସମ୍ପର୍କରେ ସୂଚନା ଦେବ ପୁଲିସ । ଅଭିଯୁକ୍ତ ୬ ମାସ ହେଲା ନାବାଳିକା ପଛରେ ପଡ଼ିବା ସହ ହଇରାଣ କରୁଥିବା ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି  । ଏନେଇ ସେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ଫଳ ମିଳିନଥିଲା । କିନ୍ତୁ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁଁ ଥାନାରେ ବିଳମ୍ବରେ ଅଭିଯୋଗ କରିଥିବା କହିଛନ୍ତି ପୀଡ଼ିତାଙ୍କ ମା’। 

ମାଲକାନଗିରିରେ ବି ଏକା ଦଶା । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ବିଜାଘାଟିରୁ ପୀଡ଼ିତାଙ୍କୁ ଉଦ୍ଧାର କଲା ପୁଲିସ  । ଗତକାଲି ବିଳମ୍ବିତ ରାତିରେ ଟ୍ରକରେ ଉଠାଇ ନେଇ ଥିଲା ଅଭିଯୁକ୍ତ । ପୀଡ଼ିତାଙ୍କ ଚିତ୍କାର ପରେ ଉଦ୍ଧାର କରିଥିଲେ ଅନ୍ୟ ଗାଡ଼ି ଚାଳକ । ଗାଁ ଲୋକଙ୍କୁ ହସ୍ତାନ୍ତର ପରେ ପୁଲିସକୁ ଖବର ଦେଇଥିଲେ। ଅଭିଯୁକ୍ତଙ୍କୁ ଗିରଫ କଲା ମାଲକାନଗିରି ମଡେଲ ଥାନା ପୁଲିସ । 

ଏ ଘଟଣା ପରେ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି । ଏପରି ଅଘଟଣକୁ ଲୋକଙ୍କ ଭାବାବେଗକୁ ଆଘାତ କରିବା ସହ ବିଜେପି ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ , କ’ଣ ଘଟିଚାଲିଥିବ ଦୁଷ୍କର୍ମ? ଏ କୁକର୍ମରେ କ’ଣ ଲାଗିବନି ଲଗାମ୍ ? ଅଭିଯୁକ୍ତଙ୍କ କ’ଣ ମିଳିବନି ଶାସ୍ତି?