କନକ ବ୍ୟୁରୋ: ପାକିସ୍ତାନର ଖାଇବର୍ ପଖତୁନଖ୍ବା ପ୍ରଦେଶରେ ଶୁକ୍ରବାର ରାତିରେ ଏକ ପୁଲିସ୍ ଟ୍ରେନିଂ ସେଣ୍ଟର୍ରେ ଆତ୍ମଘାତୀ ଆକ୍ରମଣ ହୋଇଛି । ପୋଲିସ୍ ସୂତ୍ର ଅନୁଯାୟୀ, ଆକ୍ରମଣରେ ୭-୮ ଜଣ ଆତଙ୍କବାଦୀ ଭାରୀ ଅସ୍ତ୍ରଶସ୍ତ୍ର ସହ ଆକ୍ରମଣ କରିଥିଲେ । ତେହରିକ- ଇ-ତାଲିବାନ ପାକିସ୍ତାନ ବା ଟିଟିପି ଏହି ଆକ୍ରମଣ କରିଛି । ଏଥିରେ ଆତ୍ମଘାତୀ ଆତଙ୍କୀ ସହ ୭ ପୁଲିସ ପ୍ରାଣ ହରାଇଛନ୍ତି ।
ପାକିସ୍ତାନରେ ଚାଲିଛି କ’ଣ?
ଫୁଟୁଛି ବୋମା, ଯାଉଛି ଜୀବନ
ଗୋଟିଏ ପରେ ଗୋଟିଏ ଆକ୍ରମଣ
ଦିନେ ଆତଙ୍କବାଦୀ ପଠାଇ ଅନ୍ୟ ଦେଶକୁ ହଇରାଣ କରୁଥିବା ପାକିସ୍ତାନ ଏବେ ସେହି ଆତଙ୍କବାଦୀଙ୍କ ଜାଲରେ ନିଜେ ଅଣନିଃଶ୍ୱାସୀ ହୋଇପଡ଼ିଲାଣି । ପ୍ରତିଦିନ ପାକିସ୍ତାନରେ ବୋମା ଫୁଟୁଛି ଓ ଗୁଳି ଚାଲୁଛି। ଆଉ ଏହାର କେନ୍ଦ୍ରସ୍ଥଳ ପାଲଟିଛି ଖାଇବର ପଖତୁନଖ୍ବା। ଶୁକ୍ରବାର ରାତିରେ ପୁଲିସ୍ ଟ୍ରେନିଂ ସ୍କୁଲ ଉପରେ ହୋଇଛି ଭୟଙ୍କର ଆକ୍ରମଣ । ଏଥିରେ ୭ ଜଣ ପାକିସ୍ତାନୀ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ୧୨ ଜଣ ଆହତ ହୋଇଛନ୍ତି । ପୁଲିସ୍ ଟ୍ରେନିଂ ସେଣ୍ଟରରେ ୭-୮ ଜଣ ଆତ୍ମଘାତୀ ଆତଙ୍କବାଦୀ ମୁଖ୍ୟ ଫାଟକରେ ବିସ୍ଫୋରକ ବୋଝେଇ ଟ୍ରକ୍ ଧକ୍କା ଦେଇ ଭିତରେ ପଶିଥିଲେ । ପୁଲିସ୍ ଓ ଆକ୍ରମଣକାରୀଙ୍କ ମଧ୍ୟରେ ପ୍ରାୟ ୫ ଘଣ୍ଟା ଗୁଳିବିନିମୟ ହୋଇଥିଲା। ଏଥିରେ ୭ ଜଣ ପାକିସ୍ତାନୀ ପୁଲିସ୍ କର୍ମଚାରୀଙ୍କ ସହିତ ୬ ଜଣ ଆକ୍ରମଣକାରୀ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ।
ବଲୁଚସ୍ତାନ ଓ ଖାଇବର ପଖତୁନୱା ଏବେ ପାକିସ୍ତାନ ସୁରକ୍ଷାକର୍ମୀଙ୍କ ପାଇଁ କବରଖାନା ପାଲଟିଛି । ଗୋଟିଏ ପଟେ ବଲୁଚ୍ ବିଦ୍ରୋହୀ ନୂଆ ଉତ୍ସାହ ଓ ରଣକୌଶଳ ସହ ସୁରକ୍ଷାକର୍ମୀଙ୍କ ଉପରେ ଘନଘନ ଆକ୍ରମଣ କରୁଛନ୍ତି । ସେପଟେ ତେହରିକ- ଇ-ତାଲିବାନ ପାକିସ୍ତାନ ବା ଟିଟିପି ପ୍ରଚଣ୍ଡ ଆକ୍ରମଣ କରୁଛି । ଗୋଟିଏ ସମୟରେ ଟିଟିପିକୁ ପାଳିପୋଷି ବଡ଼ କରିଥିବା ପାକିସ୍ତାନ ଏବେ ନିଜେ ତା’ରି ଆକ୍ରମଣରେ ଥରହର । ଚଳିତବର୍ଷ ଏଯାଏଁ ପାକିସ୍ତାନରେ ବିଦ୍ରୋହୀ ଓ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୨୫ ଶହ ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହେଲାଣି । ସେପ୍ଟମ୍ବର ୨ରେ କ୍ବେଟାରେ ଆତ୍ମଘାତୀ ବିସ୍ଫୋରଣରେ୧୫ ଜଣଙ୍କ ପ୍ରାଣ ଯାଇଥିଲା ।