କନକ ବ୍ୟୁରୋ: ରାଜଧାନୀରେ ସିରିଜ୍ ଦୁର୍ଘଟଣା । କୁକୁଡ଼ା ଚିଆଁ ବୋଝେଇ ଗାଡ଼ି କୁ ପିଟିଲା ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭର ମୃତ । ଦୁର୍ଘଟଣା ପରେ ଟ୍ରକ୍ ଫେରାର ହୋଇଯାଇଥିବା ସୂଚନା । ରାତି ପ୍ରାୟ ୧୨.୧୦ ସମୟ ବେଳେ ଘଟିଛି ଏଭଳି ଦୁର୍ଘଟଣା । ବରମୁଣ୍ଡା-ଖଣ୍ଡଗିରି ଓଭରବ୍ରିଜ ଉପରେ ଗାଡ଼ିର ପଛ ଚକା ଲିକ୍ ହେବା ଯୋଗୁଁ ଡ୍ରାଇଭର ଜଣକ ନିଜ ଗାଡ଼ି ନମ୍ୱର୍ OD05W2184 ବଲେରୋ ଗାଡିକୁ ଠିକ୍ କରୁଥିଲେ । ସେହି ସମୟରେ ଏକ ହାଇୱା ପଛପଟୁ ପିଟିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଦୁର୍ଘଟଣା ପରେ ସମାନ ହାଇୱା ଫେରାର ହୋଇଯାଇଛି । ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବରମୁଣ୍ଡା ଓଭର ବ୍ରିଜରେ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳକୁ ଆସିଥିଲା ପିସିଆର ଭ୍ୟାନ । ଦୁର୍ଘଟଣା ବିଷୟରେ ତଦାରଖ କରିବା ବେଳେ ପଛପଟୁ ପିସିଆର ଭ୍ୟାନକୁ ପିଟିଥିଲା ଆଉ ଏକ ହାଇୱା । ଫଳରେ ପିସିଆର୍ ଭ୍ୟାନଟି ଦୂରକୁ ଛିଟିକି ଯାଇଥିଲା । ଗାଡ଼ି ଭିତରେ ଡ୍ରାଇଭର ଚିତ୍ତ ପଟ୍ଟନାୟକ ରହିଥିଲେ । ଏହି ଦୁର୍ଘଟଣାରେ ଚିତ୍ତ ପଟ୍ଟନାୟକଙ୍କ ଗୋଡ଼ ଭାଙ୍ଗିଯିବା ସହ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ଏହାସହ ଶରୀରରେ ଗଭୀର ଆଘାତ ମଧ୍ୟ ଲାଗିଛି । ସେହିଭଳି ଦୁର୍ଘଟଣା ବେଳେ ହୋମଗାର୍ଡ ମନୋଜ କୁମାର ମେହେରଙ୍କ ଉପରେ ଛିଟିକି ପଡ଼ିଥିଲା ପିସିଆର ଭ୍ୟାନ । ଯେଉଁଥିରେ ତାଙ୍କ ତାଙ୍କର ଗୋଡ଼, ମୁଣ୍ଡ ଆଉ ଛାତିରେ ଗଭୀର ଆଘାତ ଲାଗିଛି । ପ୍ରଥମେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା ଓ ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ଘଟାଇ ଫେରାର ହେବାବେଳେ ଗାଡ଼ିକୁ ଧରିଛି କମିଶନରେଟ ପୋଲିସ ।