କନକ ବ୍ୟୁରୋ: ଇସ୍ପାତ ସହରରେ ରକ୍ତର ଛିଟା । ଘଟି ଚାଲିଛି ବିଭତ୍ସ ହତ୍ୟା କାଣ୍ଡ । ୩ ଦିନରେ ଗଲାଣି ୪ ଜୀବନ । ଏହି ସବୁ ଘଟଣାରେ କିଛି ଅଭିଯୁକ୍ତଙ୍କୁ ଧରି ପୁଲିସ ତଦନ୍ତ କରୁଛି । କିନ୍ତୁ ସହରରେ ସିରିଜ ହତ୍ୟା ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି । ଆଇନ କାନୁନକୁ ଅପରାଧୀଙ୍କ ଖାତିର ନାହିଁ । ପୁଲିସକୁ ବି ଭୟ ନାହିଁ । ଗୋଟିଏ ପରେ ଗୋଟିଏ ନିର୍ମମ ହତ୍ୟାକାଣ୍ଡ ଘଟାଇ ଚାଲିଛନ୍ତି ହତ୍ୟାକାରୀ ।
ରାଉରକେଲାରେ ପୁଣି ରକ୍ତର ଛିଟା । ରଘୁନାଥପଲ୍ଲୀ ଥାନା ଏସଟିଆଇ ଓଭର ବ୍ରିଜ ନିକଟରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୁଣ୍ଡ, ପେଟ ଓ ଛାତିରେ ଗଭୀର ଆଘାତ ଲାଗିଛି । ମୃତକ ଜଣକ ଗାଢ଼ାଟୋଲା ଅଂଚଳର ଅମ୍ରିତ ମହାକୁଡ଼ । ମୃତଦେହ ନିକଟରୁ ପୋଲିସ ମଦ ବୋତଲ ଓ ଖାଦ୍ୟ ସାମଗ୍ରୀ ଜବତ କରିଛି । ଗତ ୩ଦିନରେ ଘଟିଲାଣି ୪ଟି ହତ୍ୟାକାଣ୍ଡ । କାହାକୁ ତଣ୍ଟି କାଟି, ତ କାହାକୁ ଛୁରୀ ଭୁସି ତ କାହା ମୁଣ୍ଡକୁ ଦୁଇ ଫାଳ କରି ହତ୍ୟା କରାଯାଇଛି ।
୯ ଏପ୍ରିଲ ୨୦୨୫
ଛେଣ୍ଡ କଲୋନୀ ଭିଏସ୍ଏସ୍ ମାର୍କେଟରେ ଦୁଇଜଣ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ଟିସ୍କୋ କଲୋନୀର ମୁକେଶ କର ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା ।
୯ ଏପ୍ରିଲ ରାତି
ପ୍ଲାଣ୍ଟ ସାଇଟ ଥାନା ନ୍ୟୁ ବସଷ୍ଟାଣ୍ଡ ନିକଟରେ ସୁଦୀପ କର ନାମକ ଜଣେ ଯୁବକଙ୍କୁ ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।
୧୧ ଏପ୍ରିଲ ୨୦୨୫
ଉଦିତ ନଗର ଥାନା ମାଲଗୋଦାମ ଅଂଚଳରେ ସ୍କ୍ରୁ- ଡାଇଭରରେ ଛାତିକୁ ଭୁସି ସାଙ୍ଗକୁ ହତ୍ୟା କରିଥିଲା ସାଙ୍ଗ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ପୁଣି ଘଟି ଯାଇଛି ଆଉ ଏକ ନିର୍ମମ ହତ୍ୟା ।
ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ପୁଲିସର ମୁଣ୍ଡବିନ୍ଧା ବଢ଼ାଇଛି । ଘଟଣାରେ କିଛି ହତ୍ୟାକାରୀ ଧରାପଡ଼ିଥିବା ବେଳେ, ଏବେ ବି ଆଉ କିଛି ଅପରାଧୀ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଖୋଲା ବୁଲୁଛନ୍ତି । ପୁଲିସ ଏନେଇ ତଦନ୍ତ ଚଳାଇଛି । ଖୁବଶୀଘ୍ର ସବୁ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ପୋଲିସ କହିଛି ।