କନକ ବ୍ୟୁରୋ : ସେପ୍ଟେମ୍ବର ୭ ତାରିଖରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଯୋଗୁ ରାମନଗରୀର ଧାର୍ମିକ ଦିନଚର୍ଯ୍ୟା ଉପରେ ପଡ଼ିବ ବଡ଼ ପ୍ରଭାବ । ଦ୍ୱିପ୍ରହର ୧୨ ଟା ୫୭ ସମୟରେ ଲାଗିଯିବ ସୂତକ । ଏହାଦ୍ୱାରା ଦ୍ୱିପ୍ରହର ପରେ ରାମଲଲାଙ୍କ ଦର୍ଶନ ବନ୍ଦ ହୋଇଯିବ । ସୂତକ ଲାଗିବା ସହିତ ରାମ ମନ୍ଦିର ସମେତ ଅଯୋଧ୍ୟା ଧାମର ପ୍ରମୁଖ ମଠ-ମନ୍ଦିରର କବାଟ ଭକ୍ତମାନଙ୍କ ପାଇଁ ବନ୍ଦ କରିଦିଆଯିବ । ଗ୍ରହଣ ଶେଷ ହେବା ପରେ ବିଧି-ବିଧାନ ଅନୁସାରେ ଶୁଦ୍ଧିକରଣ କରାଯିବ । ଏହାପରେ ସେପ୍ଟେମ୍ବର ୮ ତାରିଖ ସକାଳୁ ଭକ୍ତମାନେ ପୁଣି ରାମଲଲ୍ଲା ଏବଂ ଅନ୍ୟ ଦେବାଳୟମାନଙ୍କର ଦର୍ଶନ କରିପାରିବେ । ଜ୍ୟୋତିଷାଚାର୍ଯ୍ୟଙ୍କ କହିବାନୁସାରେ ଗ୍ରହଣ ସମୟରେ ମନ୍ଦିରର କବାଟ ବନ୍ଦ ରଖିବା ସନାତନ ପରମ୍ପରାର ଏକ ଅଂଶ । ଏହି ସମୟରେ ଭକ୍ତମାନେ ଘରେ ରହି ମନ୍ତ୍ର-ଜପ, ଭଜନ-କୀର୍ତ୍ତନ ଏବଂ ଧାର୍ମିକ ପାଠର ଆୟୋଜନ କରି ପୁଣ୍ୟ ଲାଭ କରିପାରିବେ ।

Advertisment
ramlalla
ramlalla Photograph: (Google)

ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ପ୍ରବୀଣ ଶର୍ମାଙ୍କ କହିବାନୁସାରେ ଯେତେବେଳେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଏକ ସିଧା ରେଖାରେ ଆସିଥା’ନ୍ତି ସେତେବେଳେ ସୂର୍ଯ୍ୟଙ୍କ ଆଲୋକ ପୃଥିବୀ ଉପରେ ତ ପଡ଼ିଥାଏ କିନ୍ତୁ ଚନ୍ଦ୍ର ଉପରେ ପଡ଼ିନଥାଏ । ଏହାଦ୍ୱାରା ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ । ଏହି ଘଟଣାକୁ ହିଁ ଚନ୍ଦ୍ରଗ୍ରହଣ କୁହାଯାଏ । ଏଥର ଚନ୍ଦ୍ରଗ୍ରହଣ ଭାଦ୍ରବ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥି ସେପ୍ଟେମ୍ବର ୭ ତାରିଖରେ କୁମ୍ଭ ରାଶି ଏବଂ ପୂର୍ବା ଭାଦ୍ରପଦ ନକ୍ଷତ୍ରରେ ଲାଗୁଛି । ଚନ୍ଦ୍ରଗ୍ରହଣର ସ୍ପର୍ଶ ରାତି ୯ ଟା ୫୭ ମିନିଟରେ ହେବ, ମଧ୍ୟରାତ୍ରି ୧୧ ଟା ୪୨ରେ ଏବଂ ମୋକ୍ଷ ରାତି ୧ ବାଜି ୨୭ ମିନିଟରେ ହେବ ।  ଗ୍ରହଣ ସାରା ଦେଶରେ ଦୃଶ୍ୟମାନ ହେବ । ଚନ୍ଦ୍ର ଗ୍ରହଣର ସୂତକ କାଳ ନଅ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯିବ । ଦ୍ବିପ୍ରହର ୧୨ ଟା ୫୭ ରୁ ଗ୍ରହଣ ଆରମ୍ଭ ହେବ ।

rahu-ketu-graha
rahu-ketu-graha Photograph: (Google)

ଜ୍ୟୋତିଷାଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଗ୍ରହଣ କୁମ୍ଭ ରାଶିରେ ଅଛି । ଅର୍ଥାତ୍ ଚନ୍ଦ୍ରମା ଓ ରାହୁଙ୍କ ଚଳନ କୁମ୍ଭ ରାଶିରେ ହେଉଛି । ଶନି ପ୍ରବର୍ତ୍ତିତ ନକ୍ଷତ୍ର ପୂର୍ବାଭାଦ୍ରପଦ ନକ୍ଷତ୍ରରେ ଅଛି । ଏହାଦ୍ୱାରା ଏକ ବିଶେଷ ଗ୍ରହଣ ଯୋଗ ସୃଷ୍ଟି ହେଉଛି । ଏହାକୁ ଜ୍ୟୋତିଷଶାସ୍ତ୍ରରେ ରାହୁ-ଚନ୍ଦ୍ର ଯୋଗ ବୋଲି କୁହାଯାଏ । ଗ୍ରହଣ ସମୟରେ ସୂର୍ଯ୍ୟ-କେତୁଙ୍କ ଚଳନ କନ୍ୟା ରାଶିରେ ଅଛି ତେଣୁ ଏହା କିଛି ରାଶି ଉପରେ ବିଶେଷ ପ୍ରଭାବ ପକାଇପାରେ । ଆଚାର୍ଯ୍ୟ ପ୍ରବୀଣଙ୍କ କହିବାନୁସାରେ ସେପ୍ଟେମ୍ବର ୭ ତାରିଖ ୨୦୨୫ ର ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ କେବଳ ଜ୍ୟୋତିଷୀୟ ଦୃଷ୍ଟିରୁ ନୁହେଁ ବରଂ ସାମାଜିକ କ୍ଷେତ୍ରରେ ମଧ୍ୟ ବିଶ୍ୱବ୍ୟାପୀ ପ୍ରଭାବ ପକାଇବ । ଏହି ଗ୍ରହଣ ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଆମେରିକାର ଅନେକ ଭାଗରୁ ଦେଖାଯାଇପାରିବ । ଜ୍ୟୋତିର୍ବିତମାନେ ଏହାକୁ “ବ୍ଲଡ୍ ମୁନ୍” ମଧ୍ୟ କହିଥା’ନ୍ତି । ରାହୁ-ଚନ୍ଦ୍ରଙ୍କ ଚଳନ କାରଣରୁ ଅନେକ ଦେଶରେ ରାଜନୈତିକ ଅସ୍ଥିରତା, ଅବିଶ୍ୱାସ ଏବଂ ନେତୃତ୍ୱ ସଙ୍କଟ ଦେଖିବାକୁ ମିଳିପାରେ । ଆନ୍ତର୍ଜାତୀୟ ସମ୍ବନ୍ଧରେ ହଠାତ୍ ଉତ୍ତେଜନା ବା ବିବାଦର ସମ୍ଭାବନା ସୃଷ୍ଟି ହୋଇପାରେ । ଚନ୍ଦ୍ର ଗ୍ରହଣ ଜଳ ତତ୍ତ୍ୱ ସହ ଜଡ଼ିତ ବୋଲି ମନେ କରାଯାଏ । ତେଣୁ ସାମୁଦ୍ରିକ ଝଡ଼, ବନ୍ୟା ଏବଂ ପ୍ରବଳ ବର୍ଷାର ସମ୍ଭାବନା ଅଧିକ ରହିଥାଏ । ଭୂକମ୍ପ ଭଳି ଭୂ-ପରିବର୍ତ୍ତନକାରୀ ଘଟଣା ମଧ୍ୟ ଘଟିପାରେ ।