କନକ ବ୍ୟୁରୋ : ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ବରିଷ୍ଠ ରାଜନେତା ସୁରେଶ ରାଉତରାୟଙ୍କ ପାରିବାରିକ କଳି । ଦିନେ ଯେଉଁ ପୁଅଙ୍କ ମୋହରେ ପଡ଼ି କଂଗ୍ରେସରୁ ବିଦା ହୋଇଥିଲେ, ଆଜି ସେହି ପୁଅଙ୍କ ମୁହଁ ଚାହୁନାହାନ୍ତି ସୁର । ଗତ କିଛି ଦିନ ଧରି ଦୁଇ ଭାଇଙ୍କ ମଧ୍ୟରେ ଲାଗି ରହିଥିବା କଳି ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ । ସୁର କହିଛନ୍ତି, ପୁଅଙ୍କ କଳି ପାଇଁ ତାଙ୍କ ରାଜନୈତିକ କ୍ୟାରିୟରରେ ଦାଗ ଲାଗିଛି । ଡାଇନିଂରେ ଏକାଠି ଡିନର କରୁଥିଲେ ବି କେହି କାହା ମୁହଁକୁ ଚାହୁଁନାହାନ୍ତି ।
କିଛିଦିନ ତଳେ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ନେଇ ଦେଖିବାକୁ ମିଳିଥିଲା । ପରୋକ୍ଷରେ ବଡ଼ ଭାଇ ସିଦ୍ଧାର୍ଥଙ୍କୁ ଟାର୍ଗେଟ କରିଥିଲେ ମନ୍ମଥ ରାଉତରାୟ । ସେ କହିଥିଲେ, ସୁରଙ୍କ ଘରେ ଜଣେ ବ୍ୟକ୍ତି ନବୀନ ଓ ପାଣ୍ତିଆନକୁ ଗାଳି କରୁଛନ୍ତି । ଦିନେ ସିଏ ଯାଇ ଦୁହିଁଙ୍କୁ ବାରମ୍ବାର ଦେଖା କରୁଥିଲେ । ଦେଖା କଲା ପରେ ବି ସେ ଶେଷରେ ରିଜେକ୍ଟ ହୋଇଥିଲେ । ସୁରଙ୍କୁ ନେଇ ବିଜେପି ନେତାଙ୍କୁ ଦିଲ୍ଲୀରେ ଭେଟିଥିଲେ । ଯଦି ଓଡ଼ିଶାକୁ ଭଲ ପାଉଥିଲେ ତା ହେଲେ ୧୮ ବର୍ଷ କୁଆଡ଼େ ଥିଲେ । ବାପା ମାଆଙ୍କୁ ଛାଡ଼ି ସେଠାରେ କଣ କରୁଥିଲେ । ତାଙ୍କ ପରିବାର ଆମେରିକା ପାସପୋର୍ଟରେ କାହିଁକି ଅଛନ୍ତି । କିଛି ପାଇଲେନି ବୋଲି ନବୀବ ଓ ପାଣ୍ତିଆନଙ୍କୁ ଗାଳି କରୁଛନ୍ତି । ମୋ ଗୁରୁଙ୍କୁ ସେ ଗାଳି ଦେଉଥିବାରୁ ମୁଁ ତାକୁ ସହିପାରୁନି । ସେ ଯାହା କରୁଛନ୍ତି ତାକୁ ପ୍ରମାଣ କରି ଦେଖାନ୍ତୁ ।