କନକ ବ୍ୟୁରୋ : ୨୦୨୪ ନିର୍ବାଚନରେ ବିଜେଡି ପରାଜୟ ପଛର କାରଣ ଖୋଜା ଚାଲିଥିବା ବେଳେ ବିଧାୟକ ଅରୁଣ ସାହୁଙ୍କ ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସେପଟେ ଦଳ ଭିତରେ ଥିବା କନ୍ଦଳର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ଯୁବନେତା ଏକାଠି ହେବା ଘଟଣା ଦଳର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । 

Advertisment

 ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ଏହି କଥା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ବିଜେଡି ପରାଜୟ ପଛର କାରଣ ସମସ୍ତେ ଜାଣି ବି ମାନୁନଥିଲା ବେଳେ ପ୍ରଥମ ଥର ପାଇଁ ମାନିଛନ୍ତି ଏହି ବରିଷ୍ଠ ବିଧାୟକ । ରାୟଗଡାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସ୍ପଷ୍ଟ ଭାବରେ କହିଛନ୍ତି, ୨୪ ବର୍ଷ ଧରି ଶାସନ କରିବା ପରେ ଦଳ ଭିତରେ ଅହଙ୍କାର ବଢ଼ି ଯାଇଥିଲା। ଯେଉଁ କାରଣରୁ ଦଳ ପରାଜୟର ସମ୍ମୁଖୀନ ହେଲା। ଦଳ ଭିତରେ ଥିବା କିଛି ଅସନ୍ତୁଷ୍ଟ, ନିଜ ନିଜ ଭିତରେ ଦ୍ବନ୍ଦ୍ବକୁ ଭୁଲିଗଲେ, ବିଜେଡି ପୁଣିଥରେ କ୍ଷମତାକୁ ଆସିବ ।
 
 ଦଳୀୟ କାର୍ଯ୍ୟକ୍ରମରେ ଅରୁଣଙ୍କ ଏଭଳି ବୟାନ ଚର୍ଚ୍ଚାର ବିଷୟ ହୋଇଛି। ତେବେ ପ୍ରଶ୍ନ ଉଠୁଛି କାହା ଅହଙ୍କାର ବଢ଼ି ଯାଇଥିଲା ? ସୁପ୍ରିମୋଙ୍କର ନା ନେତାଙ୍କର ଅହଙ୍କାର ବଢ଼ିବାରୁ ଦଳ ହାରିଲା? ନା ଅରୁଣଙ୍କ ଏଭଳି ବୟାନ ପଛରେ ରହିଛି କି ସୁଚିନ୍ତିତ ରଣନୀତି? ଦଳ ଏହା ଉପରେ ଆଗାମୀ ଦିନରେ ତର୍ଜମା କରିବ କି ? 
 
କାରଣ ଗୋଟିଏ ପଟେ ଦଳ ସଜାଡିବାକୁ ଅରୁଣ ପରାମର୍ଶ ଦେଉଥିବାବେଳେ କଟକରୁ ଆସିଛି ଦଳୀୟ କନ୍ଦଳର ଚିତ୍ର । ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଘରେ ଏକାଠି ହୋଇଛନ୍ତି ଯୁବନେତା । ପୁରୀ ବିଧାୟକ ସୁନୀଲ ମହାନ୍ତି, ବାଙ୍କୀ ବିଧାୟକ ଦେବୀ ତ୍ରିପାଠୀଙ୍କ ସମେତ ବହୁତ ଯୁବ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଘରେ ମେଳି କରିଛନ୍ତି। ପ୍ରଣବ ବଳବନ୍ତରାୟ, ଅଂଶୁମାନ ମହାନ୍ତି, ସମ୍ବିତ ରାଉତରାୟ, ଚନ୍ଦ୍ରସାରଥୀ ବେହେରା, ରୁଦ୍ର ମହାରଥୀଙ୍କ ଭଳି ଯୁବ ନେତା ଯୋଗ ଦେଇଥିଲେ। କିନ୍ତୁ ସେହି କଟକର ହୋଇ ବି ବିଧାୟକ ସୌଭିକ ବିଶ୍ବାଳ ଓ ମେୟର ସୁବାସ ସିଂ ବୈଠକରେ ସାମିଲ ନହେବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।  ୨୪ ବର୍ଷ ଧରି ନିରଙ୍କୁଶ ଶାସନ କରିବା ପରେ ପ୍ରଥମ ଥର ପାଇଁ ପରାଜୟର ସ୍ବାଦ ଚାଖିଛି ବିଜେଡି । ଅପରାଜୟ ଥିବା ଦଳକୁ ୨୦୨୪ରେ ପ୍ରତ୍ୟାଖାନ କରିଛନ୍ତି ଓଡ଼ିଶାବାସୀ । ସେହିଦିନୁ ପୁଣି ଥରେ ସଂଘର୍ଷ କରୁଛି ଦଳ।