କନକ ବ୍ୟୁରୋ: ୨୪ ନିର୍ବାଚନର ବଡ ବିପର୍ୟ୍ୟୟ ପରେ କେମିତି ଫର୍ମକୁ ଫେରିବ ବିଜେଡି । କାହା ହାତରେ ରହିବ ନେତୃତ୍ୱ, ନବୀନଙ୍କ ପରେ କାହା କାନ୍ଧରେ ରହିବ କମାଣ । ଏଭଳି ପୁଳା ପୁଳା ପ୍ରଶ୍ନ ବିଜେଡି ନେତାଙ୍କ ମନରେ ଉଙ୍କି ମାରୁଛି । କେତେବେଳେ ସିନିୟର ଲିଡର ମେଳି କରି ଦଳର ଭବିଷ୍ୟତକୁ ନେଇ ମାନସ ମନ୍ଥନ କରୁଛନ୍ତି ତ ଆଉ କେତେବେଳେ ଜୁନିୟର ଲିଡର ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରୁଛନ୍ତି । ସୂଚନା ଅନୁସାରେ ପ୍ରସନ୍ନ ଆଚାର୍ୟ୍ୟ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ସାମଲ, ପ୍ରଫୁଲ୍ଲ ମଲ୍ଲିକ, ବଦ୍ରି ପାତ୍ର, ଶଶିଭୂଷଣ ବେହେରା ଓ ଭୂପିନ୍ଦର ସିଂହଙ୍କ ଭଳି ବରିଷ୍ଠ ନେତା କିଛିଦିନ ତଳେ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟି ଦଳର ଆଗମୀ ଭବିଷ୍ୟତକୁ ନେଇ ଅନେକ ପ୍ରସ୍ତାବ ରଖିଛନ୍ତି । ଏହାକୁ ନେଇ ପଦ୍ମନାଭ ବେହେରା କହିଛନ୍ତି, ଯେଉଁ ପ୍ରସ୍ତାବ ବା ପରାମର୍ଶ ଦେଇଥିଲୁ, ତାହା କିଛିଟା କାର୍ୟ୍ୟକାରୀ ହୋଇଛି । ଆଉ କିଛି ସାଂଗଠନିକ ନିର୍ବାଚନ ପରେ ସରିବ ।
କ୍ଷମତାରୁ ଯିବା ପରେ ଦଳ ପ୍ରତି ନେତା ଓ କର୍ମୀଙ୍କ ଆକର୍ଷଣ କମୁଥିବାରୁ ସୁପ୍ରିମୋଙ୍କୁ ବରିଷ୍ଠ ନେତାମାନେ କେତେକ ପ୍ରସ୍ତାବ ଦେଇଛନ୍ତି ।
ନବୀନଙ୍କୁ ସିନିଅର ଲିଡରଙ୍କ ପ୍ରସ୍ତାବ...
୧- ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା, ଓଡ଼ିଶାରେ ଯେଉଁ ସ୍ୱର, ଦିଲ୍ଲୀରେ ସେହି ଆଭିମୁଖ୍ୟ
୨- କେନ୍ଦ୍ର ଅବହେଳାକୁ ଜୋରଦାର କରିବା
୩- ସିନିଅର ଓ ଜୁନିଅରଙ୍କୁ ଏକାଠି କରି କାମ କରିବା
୪- ୨୦୨୪ ପରାଜୟର କୋର୍ସ କରେକ୍ସନ କରି ଆଗକୁ ବଢ଼ିବା
୫- ଦଳ ପାଇଁ ରଣନୀତି ପ୍ରସ୍ତୁତି ଓ ଗୁତୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ପାଣ୍ଡିଆନଙ୍କୁ ଦୂରେଇ ରଖିବା
୨୦୨୪ ନିର୍ବାଚନରେ ଓଡିଆ ଓସ୍ମିତା ଓ ପାଣ୍ଡିଆନକୁ ପ୍ରସଙ୍ଗ କରି ନିର୍ବାଚନ ଜିତିଥିଲା ବିଜେପି । ତେଣୁ ଦଳରେ ପାଣ୍ଡିଆନ ପ୍ରଭାବକୁ କମାଇବାକୁ ସୁପ୍ରିମୋଙ୍କ ଉପରେ ବିଭିନ୍ନ ଆଡୁ ଚାପ ପଡୁଥିବା ଆଲୋଚନା ହେଉଛି । ହେଲେ ନବୀନ କି ନିଷ୍ପତି ନେଉଛନ୍ତି ? କାହାକୁ ଭରସା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।