କନକବ୍ୟୁରୋ : ରାଗିଗଲେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ଘୋଷ । ରାଗରେ ମହିଳାଙ୍କୁ କହିଲେ, ଆନ୍ଦୋଳନ ବନ୍ଦ କର ନଚେଚ୍ ଗଳା କାଟିଦେବି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ବିଜେପିର ବରିଷ୍ଠ ନେତା ଏତେ କ୍ରୋଧିତ ଥିଲେ ଯେ ଜଣେ ମହିଳା ପ୍ରତିବାଦକାରୀଙ୍କୁ ଗଳାକାଟି ଦେବାର ଧମକ ଦେବାକୁ ବି ପଛାଇଲେ ନାହିଁ । ଏମିତି ବୟାନ ଦେବା ପରେ ଏବେ ବଡ଼ ବିବାଦରେ ଫସିଛନ୍ତି ବିଜେପି ନେତା । ନେତାଙ୍କ ଧମକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ,କେବଳ ଧମକ ଭିଡ଼ିଓ ନୁହେଁ ଖଡ଼ଗପୁରରେ ପୂର୍ବତନ ସାଂସଦ ଦିଲୀପ ଘୋଷଙ୍କ ମହିଳାଙ୍କ ସହ ମୁହାଁମୁହିଁ ହେବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି ।
ଭାଇରାଲ ଭିଡ଼ିଓକୁ ଦେଖିବା ପରେ ଶାସକ ତୃଣମୂଳ ପକ୍ଷରୁ ସମାଲୋଚନା କରାଯାଉଛି । ସୂଚନା ଅନୁଯାୟୀ, ଶୁକ୍ରବାର ୱାର୍ଡ ନମ୍ବର ୬ରେ ଏକ ନବନିର୍ମିତ ରାସ୍ତା ଉଦ୍ଘାଟନ କରିବାକୁ ଯାଇଥିବା ସମୟରେ ସ୍ଥାନୀୟ ମହିଳାମାନେ ତାଙ୍କୁ ଘେରି ଯାଇ ପ୍ରଶ୍ନ ପଚାରିଥିଲେ । ସେହି ସମୟରେ ଜଣେ ମହିଳା ତାଙ୍କୁ ପ୍ରଶ୍ନ କରିଥିଲେ ତୁମେ ଏତେ ସମୟ ପାଇଁ କେଉଁଠି ଥିଲ ? ଯେତେବେଳେ ଆପଣ ସାଂସଦ ଥିଲେ ସେହି ସମୟରେ ଆମେ ଆପଣଙ୍କୁ ଗୋଟିଏ ଦିନ ପାଇଁ ବି ଦେଖିନଥିଲୁ । ଏବେ, ଆମର କାଉନସିଲର, ଆମ ପାଇଁ ରାସ୍ତା ନିର୍ମାଣ କରିଛନ୍ତି । ଆପଣ ଏବେ ଏ ଜାଗାକୁ କାହିଁକି ଆସିଛନ୍ତି ? ଆମର ନିର୍ବାଚିତ ପ୍ରତିନିଧି ଆମ ପାଇଁ ରାସ୍ତା ତିଆରି କରିଛନ୍ତି ,ଅସୁବିଧା କ'ଣ ? ଏହା ଶୁଣିବା ପରେ ରାଗିଯାଇଥିଲେ ବରିଷ୍ଠ ବିଜେପି ନେତା । ପ୍ରତିକ୍ରିୟା ଦେଇ କହିଥିଲେ "ମୁଁ ଏହାକୁ ମୋ ଟଙ୍କାରେ ତିଆରି କରିଛି, ତୁମର ବାପାଙ୍କ ଟଙ୍କାରେ ନୁହେଁ । ପାରିବ ଯଦି ତୁମେ ତୁମ ପ୍ରଦୀପ ସରକାରଙ୍କୁ ଯାଇ ପଚାରି ପାରିବ ଏ ବିଷୟରେ । ଏହା ପରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ସେହି ଯୁକ୍ତି ବଢିବା ପରେ ପୁଣି ତୃଣମୃଳ ସରକାର ନେତା ରାଗରେ କହିଥିଲେ ‘ମୁଁ ତୁମ ନିଶ୍ବାସ ବନ୍ଦ୍ କରିଦେବି’ ।