କନକ ବ୍ୟୁରୋ: ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ଫୋରଣ । କହିଲେ, ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ ବିଜେଡିରେ ଦ୍ୱନ୍ଦ୍ୱ ବଢୁଛି । ଶୀର୍ଷ ନେତୃତ୍ୱ ପ୍ରତି ଆସ୍ଥା ସୃଷ୍ଟି କରିପାରୁନଥିବାରୁ ତଳସ୍ତରରେ କର୍ମୀମାନେ ଦଳ ଛାଡ଼ୁଛନ୍ତି ବୋଲି କହିଛନ୍ତି ବଦ୍ରି ପାତ୍ର ।

Advertisment

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ‘ଆଇଆମ ଡାଉନ୍ ବଟ୍ ନଟ୍ ଆଉଟ୍’ ଅର୍ଥ କଣ ମୁଁ ଜାଣେନି । ତାର ଅର୍ଥ କ’ଣ ଯିଏ କହିଛନ୍ତି ସେ ବୁଝିଥିବେ, ଯାହାକୁ କହିଛନ୍ତି ସେ ବୁଝିଥିବେ । ଏହାସହ ସୁଜାତା କାର୍ତ୍ତିକେୟନଙ୍କ ବିଜେଡିରେ ଏଣ୍ଟ୍ରି କରିବା ଚର୍ଚ୍ଚାର ପ୍ରଶ୍ନରେ ଉତ୍ତର ଦେଇ ବଦ୍ରି କହିଛନ୍ତି, ବଡ଼ ଦଳ ସମୁଦ୍ର… ଅଧିକ ଲୋକ ଗ୍ରହଣ କରିବାକୁ କଣ ଜାଗା ନାହିଁ କି ? କିନ୍ତୁ କିଏ କିଭଳି ରହୁଛି, କିଏ କ’ଣ କରିବା କଥା, କି ଦାୟିତ୍ୱ ନେବା କଥା ସେ ବିଷୟରେ ସ୍ପଷ୍ଟ ହେଉ । ଏହାସହ ଦଳ ବଢ଼ିଲେ ବିବାଦ ବଢିବନି କି ବୋଲି ପ୍ରଶ୍ନରେ ବଦ୍ରି କହିଛନ୍ତି, ବିବାଦ ବଢ଼ିପାରେ କିନ୍ତୁ କଥା ହେଉଛି ସମସ୍ତେ ସୀମାକୁ ଜାଣିବା ଦରକାର । ମୋର ଦାୟିତ୍ୱ କେତେ ବୁଝିଲେ ସବୁକିଛି ଠିକ୍ ହେବ । ଆଉ ଯଦି ସୀମା ଟପିବ ତାହେଲେ ଦ୍ଵନ୍ଦ ବଢିବ।  

ଏହାସହ ବଦ୍ରିଙ୍କର ଆଉ ଗୋଟିଏ ବୟାନ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି, ସେ କହିଛନ୍ତି ଦଳରେ ଯେଉଁମାନେ ବର୍ତ୍ତମାନ ଦାୟିତ୍ୱ ନେଉଛନ୍ତି ସେମାନେ ସେଇ କଥାକୁ ବୁଝିବା ଦରକାର । ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ତଳ ସ୍ତରରେ କେତେ ଗ୍ରହଣୀୟ ହେଉଛି ତାହା ସମୀକ୍ଷା କରିବା ଆବଶ୍ୟକ । ସବୁ କଥାର ପରୀକ୍ଷା ତଳ ସ୍ତରରେ ହେଉଛି ବୋଲି ସେ କହିଛନ୍ତି ।