କନକ ବ୍ୟୁରୋ: ରାଜ୍ୟସଭାରେ ବିଜେଡି ତାର ଆଭିମୁଖ୍ୟ ରଖିବା ପରେ ଶଙ୍ଖଭବନରେ ଲାଗିଥିଲା ଗହଳି ।  ଦଳର ଏକାଧିକ ବରିଷ୍ଠ ନେତା ଏକାଠି ହୋଇ କ୍ଷୋଭ ପ୍ରକାଶ କରିଛନ୍ତି । ନବୀନଙ୍କ ନିର୍ଦ୍ଦେଶ ସତ୍ତ୍ୱେ  କାହିଁକି ରାଜ୍ୟସଭାରେ ୱାକଫ୍‌ ବିଲ ସପକ୍ଷରେ ଦଳର ସାଂସଦମାନେ ଭୋଟ୍‌ ଦେଲେ, ତାକୁ ସହଜରେ ହଜମ କରିପାରୁ ନାହାନ୍ତି ପୁରୁଖା ନେତା । ମାରାଥନ୍‌ ବୈଠକ ପରେ ଗଣମାଧ୍ୟମରେ ଅସନ୍ତୋଷ ଝାଡ଼ିଛନ୍ତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଲି ବରିଷ୍ଠ ନେତା । କିନ୍ତୁ ପାଦେ ଆଗକୁ ଯାଇ ବିସ୍ଫୋରଣ କରିଛନ୍ତି ଦଳର ଭେଟେରାନ ବିଧାୟକ । ଏପରିକି କିଛି ସାଂସଦ ବିଲ୍‌ ସପକ୍ଷରେ ଭୋଟ୍‌ ଦେଇଥିବାରୁ, ଏଥିରେ କିଛି ଖେଳ ହୋଇଥିବା ସନ୍ଦେହ କରିଛନ୍ତି ବଦ୍ରି ନାରାୟଣ ପାତ୍ର । ସୁପ୍ରିମୋଙ୍କ ନିର୍ଦ୍ଦେଶ ସତ୍ତ୍ବେ କାହିଁକି ହ୍ୱିପ୍‌ ଜାରି ହେଲାନାହିଁ ? ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । 
Advertisment
 
ବିଜେଡି ଇତିହାସରେ ଏଭଳି କେବେ ଦେଖିବାକୁ ମିଳିନଥିଲା । ଯେବେ ନବୀନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବରିଷ୍ଠ ନେତାମାନେ ନବୀନ ନିବାସରେ ଏକାଠି ହୋଇଛନ୍ତି । ପ୍ରଶ୍ନ କରିବାକୁ ସ୍ଥିର କରିଛନ୍ତି ଯେ, ନିର୍ଦ୍ଦେଶ ସତ୍ତ୍ବେ କାହିଁକି ରାଜ୍ୟସଭା ସାଂସଦଙ୍କ ପାଇଁ ହ୍ୱିପ ଜାରିହେଲା ନାହିଁ ? ବିଲକୁ ବିରୋଧ କରିବାକୁ ନିଷ୍ପତ୍ତି ହୋଇଥିଲେ ବି କାହା ଚାପରେ ସସ୍ମିତ ପାତ୍ରଙ୍କ ଭଳି ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ବିଲକୁ ସମର୍ଥନ ଜଣାଇ ଭୋଟ୍‌ ଦେଲେ ? ସମସ୍ତ ସାଂସଦ ଗୋଟିଏ ଲାଇନରେ କାହିଁକି ବିଲ୍‌କୁ ବିରୋଧ କରି ଭୋଟ୍‌ ଦେଲେ ନାହିଁ ? ଏସବୁର ତର୍ଜମା କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳର ସୁପ୍ରିମୋଙ୍କ ଉପରେ ଚାପ ପକାଇଛନ୍ତି ଏହିସବୁ ବରିଷ୍ଠ ନେତା । କ୍ଷମତାରୁ ଯିବା ପରେ ବିଜେଡି ଭିତରେ ଏକପ୍ରକାର ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି ।
ପ୍ରଥମେ ଡିଲିମିଟେସନ୍‌ ପ୍ରସଙ୍ଗରେ ଷ୍ଟାଲିନଙ୍କ ବୈଠକକୁ ବିଜେଡି ନେତା ଯିବା ପରେ ଲାଗୁଥିଲା, ଜାତୀୟ ପ୍ରସଙ୍ଗରେ ବିଜେପିକୁ ବିରୋଧ ପାଇଁ ଏକପ୍ରକାର ପ୍ରସ୍ତୁତି କରିସାରିଛି ବିଜେଡି । ହେଲେ ୱାକଫ୍‌ ବିଲକୁ ଦଳର କେତେକ ସାଂସଦ ସମର୍ଥନ କରିବା ବିଜେଡିକୁ ପୁଣି ବ୍ୟାକଫୁଟ୍‌କୁ ଠେଲି ଦେଇଛି । ତେଣୁ ପ୍ରଶ୍ନ ଉଠୁଛି, କେଉଁ ଅଦୃଶ୍ୟ ଚାପରେ ବିଜେପି ବିରୋଧରେ ଖୋଲାଖୋଲି ସାମ୍ନାକୁ ଆସିବାକୁ ଡରୁଛି ବିଜେଡି ?