କନକ ବ୍ୟୁରୋ: ପରାଜୟ ପରେ ବିଜେଡିରେ ବରିଷ୍ଠ ନେତାଙ୍କ ବଢୁଛି ଅସନ୍ତୋଷ । ଆଜି ପୂର୍ବତନ ବିଧାୟକ ଭୁପିନ୍ଦର ସିଂ ଦଳ ଉପରେ ତେରଛା ବାଣି ମାରିଛନ୍ତି । ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ନର୍ଲାର ଏହି ପୂର୍ବତନ ବିଧାୟକ । ଆଉ ଏହି ବୟାନକୁ ସମର୍ଥନ କରି ନିଆଁରେ ଘିଅ ଢାଳିଛନ୍ତି ଚର୍ଚ୍ଚାର ଥିବା ଅମର ଶତପଥୀ ।

Advertisment

ନିର୍ବାଚନରେ  ବିଜେଡିର ପରାଜୟ ନେଇ ଥମୁନାହିଁ ବିଜେଡିର ବରିଷ୍ଠ ନେତାଙ୍କ ବୟାନବାଜି । ନର୍ଲାରୁ ଏଥର ଟିକେଟ ପାଇନଥିବା ପୂର୍ବତନ ବିଧାୟକ ଭୁପିନ୍ଦର ସିଂ ଆଜି ତେରଛା ବାଣ ମାରିଛନ୍ତି । ଖେଳର ଉଦାହରଣ ଦେଇ ସେ କହିଛନ୍ତି ଆତ୍ମଘାତୀ ଗୋଲ ହେଲେ ପରାଜୟ ସୁନିଶ୍ଚିତ । ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ କରି ଭୁପିନ୍ଦର କହିଛନ୍ତି, ଗୋଲକିପର ଯଦି ସ୍ଲିପର ସେଲ ହେବ  ତାହାହେଲେ କଣ କରାଯାଇପାରିବ।  ଦଳର ଅଭିଜ୍ଞ ଖେଳାଳି ଆବଶ୍ୟକ । ବରିଷ୍ଠ ନେତାଙ୍କ ମତ ଲୋକଙ୍କ ମତ । ରାଜ୍ୟ ସଭାପତି ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ।

ସେପଟେ ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାରେ ଥିବା ବଡଚଣାର ପୂର୍ବତନ ବିଧାୟକ ଅମର ଶତପଥୀ ଭୁପିନ୍ଦରଙ୍କୁ ସାଧୁବାଦ ଜଣାଇଛନ୍ତି ।  ଆତ୍ମଘାତୀ ପାଇଁ ଦଳ ହାରିଲା ବୋଲି କହିଛନ୍ତି ଅମର ଶତପଥୀ ।  ଆଉ ବିଜେଡି ନେତାଙ୍କୁ ବି ଟାର୍ଗେଟ କରିଛନ୍ତି । ନୂଆ ନୂଆ ରାଜନୀତିକୁ ଆସିଥିବା ବ୍ୟକ୍ତିଙ୍କ ଚେର କଣ ଏଭଳି ମଜବୁତ? ବୋଲି କହି ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଅମର ଶତପଥୀ ।

ପ୍ରସନ୍ନ ପାଟ୍ଟଶାଣୀ, ପଦ୍ମନାଭ ବେହେରା, ନୃସିଂହ ସାହୁ ଓ ଅମର ଶତପଥୀଙ୍କ ଭଳି ବରିଷ୍ଠ ନେତାଙ୍କ ବୟାନ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଆଉ ବିଜେଡି ଭାଗ ଭାଗ ହୋଇଯିବ ବୋଲି ବିଜେପି ନେତାଙ୍କ ମନ୍ତବ୍ୟ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି ।