କନକ ବ୍ୟୁରୋ : ବାଦ ବିବାଦ, ତର୍କ ବିତର୍କରେ ଝୁଲି ରହିଥିଲା ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ । ଗତ ବିଧାନସଭାରେ ବିଲକୁ ଗୃହରେ ଉପସ୍ଥାପନ କରିଥିଲେ ହେଲେ ଏହାକୁ ପାରିତ କରିବାକୁ ସାହସ ଜୁଟାଇ ପାରିନଥିଲେ ନୂଆ ସରକାର ।
ଏପ୍ରିଲ ୨, ବୁଧବାର
ସମୟ : ଅପରାହ୍ନ ୪ଟା ୩ ମିନିଟ୍
ଗୃହରେ ବିଲକୁ ଆଗତ କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ସରକାର କାହିଁକି ଏ ବିଲ୍ ପାରିତ କରିବାକୁ ଚାହୁଁଛନ୍ତି? ବିଲରେ ଅଛି କଣ? କାହିଁକି ବିଶ୍ବବିଦ୍ୟାଳୟ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ? ଏ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ । ବାସ୍ ଏହିଠାରୁ ଶାସକ-ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବାକଯୁଦ୍ଧ । ଏହାପରେ ବିଲର ବିଭିନ୍ନ କ୍ଲଜକୁ ନେଇ ଆରମ୍ଭ ହେଲା ପଏଣ୍ଟଟୁ ପଏଣ୍ଟ ଆଲୋଚନା ।
ଏପ୍ରିଲ୍ ୩, ଗୁରୁବାର
ସମୟ : ପ୍ରାୟ ୪ଟା ୨୨ ମିନିଟ୍
ଦୀର୍ଘ ୧୨ ଘଣ୍ଟା ୨୨ ମିନିଟ୍ ଚର୍ଚ୍ଚା ପରେ ପାରିତ ହୋଇଥିଲା ବହୁ ଚର୍ଚ୍ଚିତ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ।
ବିଧାନସଭାରେ ବିଶ୍ବବିଦ୍ୟାଳୟ ବିଲ୍ ପାରିତ ହୋଇଛି । ଏବେ ନଜର ପକାନ୍ତୁ ସଂଶୋଧିତ ବିଲରେ କଣ ପରିବର୍ତ୍ତନ ଆଣିଛନ୍ତି ନୂଆ ସରକାର ।
ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍: କଣ ନୂଆ?
- ବିଶ୍ବବିଦ୍ୟାଳୟକୁ ସିନେଟ ବ୍ୟବସ୍ଥା ଫେରିବା ସହ କୁଳପତିଙ୍କର ବଢାଯାଇଛି କ୍ଷମତା
- ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ସହକାରୀ ପ୍ରଫେସର ନିଯୁକ୍ତ କରିବେ କୁଳପତି, ପୂର୍ବରୁ ଓପିଏସସି ଦ୍ବାରା ହେଉଥିଲା ନିଯୁକ୍ତି
- କୁଳପତି ଅବସରର ୬ ମାସ ପୂର୍ବରୁ ନୂଆ କୁଳପତି ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହେବ
- ବିଶ୍ବବିଦ୍ୟାଳୟରେ ସିଣ୍ଡିକେଟ ଗଠନ କରାଯିବ
- କୁଳପତିଙ୍କ କାର୍ଯ୍ୟକାଳ ୭୦ ବର୍ଷକୁ ବୃଦ୍ଧି
ବିଲକୁ ଆଉ ଥରେ ତର୍ଜମା ଓ ସିଲେକ୍ଟ କମିଟିକୁ ପଠାଯାଉ ବୋଲି ଦାବି କରିଥିଲେ ବିରୋଧୀ ସଦସ୍ୟ । ବହୁଦିନ ଧରି ବିଶ୍ବବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟାରେ ଏହି ବିଲ୍ ସାଜିଥିଲା ବାଧକ । ବିଶ୍ବବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଠିକ୍ ଭାବେ ଚାଲି ପାରୁନଥିଲା । ଏବେ ସଂଶୋଧିତ ବିଲ୍ ପାରିତ ଦ୍ବାରା ବିଶ୍ବବିଦ୍ୟାଳୟର ସ୍ବାୟତତ୍ତା କେତେ ଅକ୍ଷୂର୍ଣ୍ଣ ରହୁଛି ତାହା ଆଗାମୀ ଦିନରେ ସ୍ପଟ ହେବ ।