କନକ ବ୍ୟୁରୋ: କୁନିକୁନି ପିଲା କେମିତି ଉନ୍ନତ ଶିକ୍ଷା ପାଇବେ, ଆଉ ଶିଶୁଙ୍କ ବୌଦ୍ଧିକ ବିକାଶ ପାଇଁ ପ୍ରତି ଗାଁରେ ଖୋଲା ଯାଇଛି ଅଙ୍ଗନୱାଡି କେନ୍ଦ୍ର। ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। କିନ୍ତୁ ଯେଉଁଠି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ, ସେଠି ଶିକ୍ଷାର ମାନ କଥା ଆଲୋଚନା ନକରିବା ଭଲ।। ବଲାଙ୍ଗୀର ମୁରିବାହଲରେ ରହିଛି ସେମିତି ଏକ ଅଙ୍ଗନୱାଡ଼ି କେନ୍ଦ୍ର ।
- ପ୍ରାକ ଶିକ୍ଷାର ବିକଳ ଚିତ୍ର
- ୨ ବର୍ଷ ହେଲା ଅର୍ଦ୍ଧନିର୍ମିତ ଅଙ୍ଗନୱାଡ଼ି କେନ୍ଦ୍ର
ମୁରିବାହାଲ ବ୍ଲକର ଲଖନା ପଞ୍ଚାୟତର ବ୍ରାହ୍ମଣୀ ଗାଁରେ ପ୍ରାକ ଶିକ୍ଷା ପାଇଁ ୨ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। କିନ୍ତୁ କେନ୍ଦ୍ରର ନିଜସ୍ବ କୋଠା ନାହିଁ। ୨ ବର୍ଷ ତଳୁ ୧୪ଲକ୍ଷ ଟଙ୍କା ବ୍ୟୟରେ ଗୃହ ନିର୍ମାଣ କାମ ଚାଲିଛି ଯେ ସରୁନି। ତେଣୁ ଅଭିଭାବକଙ୍କ ଅନୁରୋଧ କ୍ରମେ ସ୍କୁଲର ଏକ ଛୋଟ ଘରେ ୨ଟି ଅଙ୍ଗନବାଡିର ପିଲା ବସୁଛନ୍ତି। ସେଇଠି ଟୀକାକରଣ ମଧ୍ୟ କରାଯାଉଛି । ଫଳରେ ଶିକ୍ଷାରମ୍ଭ କରିବା ସମ୍ଭବ ହେଉନାହିଁ।
ଶିକ୍ଷା ଜୀବନ ଆରମ୍ଭରୁ କୁନି କୁନି ପିଲା ସମସ୍ୟା ଭୋଗୁଛନ୍ତି। ଅଭିଭାବକମାନେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ବି କେହି ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି। ସେପଟେ ଏସମ୍ପର୍କରେ ମୁରିବାହାଲ ସିଡିପିଓ କହିଛନ୍ତି ଉପରିସ୍ଥ ଅଧିକାରୀଙ୍କ ସହ କଥାବର୍ତ୍ତା କରି ଖୁବଶୀଘ୍ର ଅଙ୍ଗନବାଡ଼ି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ।
ତେବେ ତୁରନ୍ତ ଅଙ୍ଗନବାଡ଼ି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେଲେ ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରନ୍ତା।