ଦୁର୍ଗମ ଅଞ୍ଚଳରେ ପଥୁରିଆ ରାସ୍ତା ହେଉ ଅବା ନଦୀ ପାର ହୋଇ ରୋଗୀ ଓ ପ୍ରସୂତି ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ଫାର୍ମାସିଷ୍ଟ ବିଦ୍ୟାଧର । ରୋଗାକ୍ରାନ୍ତ ଲୋକଙ୍କୁ ନିଜେ କାନ୍ଧରେ ବୋହି ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ଏହିଭଳି ଜଣେ ଯୁବକ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ।

Advertisment

ଗଜପତି ଜିଲ୍ଲା ମୋହନା ବ୍ଲକରେ ଏବେ ବି ଏମିତି ଗାଁ ଅଛି, ଯେଉଁଠିକୁ ଭଲ ରାସ୍ତାଟିଏ ନାହିଁ । ଜରୁରୀକାଳୀଳ ସ୍ଥିତିରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼େ । ସେଭଳି ସ୍ଥିତିରେ ଲୋକଙ୍କ ପାଖରେ ଦେବଦୂତ ଭାବେ ପହଞ୍ଚିଯାଆନ୍ତି ଫାର୍ମାସିଷ୍ଟ ବିଦ୍ୟାଧର ସାହୁ । ୨୦୧୮ରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ ନିଯୁକ୍ତି ପାଇଥିଲେ । ସେବେଠୁ ଲୋକଙ୍କ ସୁଖଦୁଃଖର ସାଥି । ପାହାଡ଼ିଆ ଅଞ୍ଚଳରେ ନଦୀ ନାଳ ଡେଇଁ ସେବା ଯୋଗାଇ ଦିଅନ୍ତି । ଲୋକଙ୍କୁ ଷ୍ଟେଚରରେ କାନ୍ଧରେ ବୋହି ମେଡ଼ିକାଲରେ ପହଞ୍ଚାଇଥାଆନ୍ତି ।

ଏମିତି କି କରୋନା ସମୟରେ ବିଦ୍ୟାଧର ନିଶ୍ୱାର୍ଥପର ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ଖାଲି ସେତିକି ନୁହେଁ, ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ମାନପତ୍ର ଦିଆଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ କିଭଳି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଅନ୍ତି ବିଦ୍ୟାଧର । ବୁଲା କୁକୁରଙ୍କୁ ଖାଇବାକୁ ଦେବା ଓ ବୃକ୍ଷରୋପଣ ଭଳି ମହତ କାମରେ ମଧ୍ୟ କିଛି ସମସ ଦିଅନ୍ତି ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ।