କନକ ବ୍ୟୁରୋ : ରାଜଧାନୀ ଛାତି ଉପରେ ଚାଲିଥିଲା ବାପ-ପୁଅ କମ୍ପାନୀ । ଧର୍ମ ନାଁରେ ଲୁଟୁଥିଲେ ।  ଭବିଷ୍ୟ ମାଳିକା ପୁରାଣରେ ପୁଅକୁ କଳ୍‌କୀ ଅବତାର ସଜାଉଥିଲେ ବାପା ।  ସୋସିଆଲ ମିଡିଆ, ପ୍ରବଚନ ଓ ବହି ଛପାଇ ପୁଅ ପାଇଁ ପ୍ରଚାର କରୁଥିଲେ ଆତ୍ମଘୋଷିତ ବାବା କାଶୀନାଥ । ବହୁ ବିବାଦୀୟ ବାବା କାଶୀନାଥ ଓ ତାଙ୍କ ପୁଅ ଅନନ୍ତ ମାଧବଙ୍କ ଅନେକ ରହସ୍ୟ ଏବେ ଧିରେ ଧିରେ ଖୋଲିବାରେ ଲାଗିଛି । 

Advertisment

କେବଳ ଏହି ଗୋଟିଏ ଭିଡିଓ ନୁହଁ ଏମିତି ଅନେକ ଭିଡିଓ ଏବେ ଭାଇରାଲ ହେଉଛି ଯେଉଁଠି ନିଜ ପୁଅ ଅନନ୍ତ ମାଧବକୁ କଳକୀ ଅବତାର କହି ପ୍ରଚାର ପ୍ରସାର କରୁଥିଲେ ବାପା । ପୁଅ ଫଟୋରେ ଦେଉଥିଲେ ଫୁଲ ମାଳ ।  ମାଳିକା ନାଁରେ ମିଛ କହିବାକୁ ବି ପଛାଇନଥିଲେ ବାବା କାଶୀନାଥ । ଯାଜପୁରରେ କଳକୀ ଅବତାରର ଜନ୍ମ ହେବ କିନ୍ତୁ ଭୁବନେଶ୍ବରର ଖଣ୍ଡଗିରିରେ ଲୀଳା କରିବ ବୋଲି ମାଳିକାରେ ଲେଖାଯାଇଥିବା କହୁଛି ଏହି ଠକ ଜଣକ । ଆଉ ଥରେ ଶୁଣନ୍ତୁ ଏହି ଠକ ବାବାଙ୍କ ମିଛ ପ୍ରବଚନ । 

ପୁଅକୁ ପ୍ରୋଜେକ୍ଟ କରି ବାପା କାଶୀନାଥ କରୁଥିଲେ ଲକ୍ଷାଧିକ ଟଙ୍କା ରୋଜଗାର । କେତେବେଳେ ପ୍ରବଚନ ତ ପୁଣି କେତେବେଳେ ମିଛ ବହି ଛପାଇ କରୁଥିଲେ ପୁଅ ପାଇଁ ପ୍ରଚାର । ଆତ୍ମଘୋଷିତ ବାବା କାଶୀନାଥ କେବଳ ଯେ ଜଣେ ପ୍ରବଚକ ଥିଲେ ତାହା ନୁହଁ ସେ ଜଣେ ଭଲ ଲେଖକ ବି ଥିଲେ । ଭବିଷ୍ୟ ମାଳିକା ପୁରାଣ ବହିରେ ନିଜେ ରଚିଥିବା କାହାଣୀକୁ ଲେଖନ୍ତି ବାବା କାଶୀନାଥ । ସେ ନିଜେ ଲେଖକ ଆଉ ପ୍ରକାଶକ ମଧ୍ୟ । ହିନ୍ଦୀ, ଇଂରାଜୀ ଓ କନ୍ନଡ ଭାଷାରେ ଲେଖାଯାଇଛି ଭବିଷ୍ୟ ମାଳିକା ପୁରାଣ ।  ଏହି ବହି ମାଧ୍ୟମରେ ନିଜ ପୁଅକୁ କଳକୀ ସଜାଇବାରେ ସବୁ ପ୍ରକାର ଉଦ୍ୟମ କରିଦେଇଛନ୍ତି । ଏହି ବହି ଏବେ ଆମାଜନରେ ଉପଲବ୍ଧ ବି ହେଉଛି । କିନ୍ତୁ ବହି ପଢି ଅନେକ ନିରାଶ ବି ହୋଇଛନ୍ତି । କେବଳ ଏତିକିରେ ସରିନଥିଲା ପ୍ରଚାର ପ୍ରସାର । ବିଭିନ୍ନ ସୋସିଆଲ ମିଡିଆରେ ପୁଅକୁ ସଜାଉଥିଲେ କଳ୍‌କୀ ଅବତାର ।  କେବଳ କାଶୀନାଥ ନୁହଁ , ଆଶ୍ରମ ତଥା କଳ୍‌କୀ ବାବା ପାଇଁ ଓକିଲାତି କରୁଥିବା ପାଣ୍ଡବ ପରିଡା ବି ରାଜ୍ୟ ସାରା ବୁଲି ବୁଲି ଅନନ୍ତ ମାଧବକୁ ସଜାଉଥିଲେ କଲକୀ ଅବତାର । ମିଛ ଗପ କହି ଲୋକଙ୍କୁ ଭଣ୍ଡାଉଥିଲେ ପାଣ୍ଡବ ପରିଡା । ଭବିଷ୍ୟର କଥା କହି ଲୋକଙ୍କୁ ଡରାଉଥିବା ବାବା କାଶୀନାଥ, ଅନନ୍ତ ମାଧବ ଓରଫ କଳ୍‌କୀ ଅବତାର ଓ ପାଣ୍ଡବ ପରିଡା ଏବେ କେଉଁଆଡେ ଅଛନ୍ତି ତାହାର ଖବର କାହାରି ପାଖରେ ନାହିଁ ।