କନକ ବ୍ୟୁରୋ: ପଟ୍ଟାମୁଣ୍ଡାଇ ଅଂଚଳର ଛାତ୍ରୀ ଜଳଯିବାକୁ ଗୋଟିଏ ଦିନ ବିତିଛି । ମାମଲାର ଗୁରୁତ୍ବ ଦୃଷ୍ଟିରୁ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲ ବଦଳରେ କଟକ ବଡମେଡିକାଲରେ ଶବ ବ୍ୟବଛେଦ କରାଯାଇଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବ୍ୟବଛେଦରୁ ମୃତ ଛାତ୍ରୀଙ୍କ ଶରୀରରେ ଅନ୍ୟ କୌଣସି ସ୍ଥାନରେ ଆଘାତ ଲାଗିନଥିବା ଜଣାପଡିଛି । ନିଆଁ ଯୋଗୁଁ ଶ୍ବାସନଳୀରେ ଧୂଆଁ ପଶି କ୍ଷତି ହୋଇଛି । ଛାତ୍ରୀଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଛି । ଅଧିକ ତଥ୍ୟ ପାଇଁ ଭିସେରା ଟେଷ୍ଟ ମଧ୍ୟ କରାଯିବ ।
ଝିଅ ଜଳିଯିବା ପରଠାରୁ ଜଣେ ଯୁବକ ବ୍ଲାକ ମେଲ କରୁଥିବା କଥା କହି ଆସୁଛନ୍ତି ମୃତକଙ୍କ ବାପା । ଯୁବକ ଜଣଙ୍କ ମୋବାଇଲରେ ଅଶ୍ଳୀଳ ଭିଡିଓ, ଫଟୋ ପଠାଇ ହଇରାଣ କରୁଥିଲେ ବୋଲି ଅଭିଯୋଗ କରି ଆସୁଛନ୍ତି। ପୋଲିସର ଖାମଖିଆଲି ମନୋଭାବ ଯୋଗୁଁ ଝିଅଟି ଅସହାୟ ହୋଇ ଜୀବନ ହାରି ଦେଇଥିବା ଅଭିଯୋଗ କରିଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ସେହି ଯୁବକ ଜଣଙ୍କ ପାଖରେ ଏପର୍ଯ୍ୟନ୍ତ ପହଁଚି ପାରିନି ପୁଲିସ ।
ଏହି ଘଟଣାରେ ଆଜି ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । କଂଗ୍ରେସର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ସରକାରଙ୍କ ଉପରେ ବର୍ଷିଛନ୍ତି। ସେହିପରି ବିଜେଡିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି । ବିଜେଡିର ଆଉ ଏକ ପ୍ରତିନିଧି ଦଳ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି । ତଦନ୍ତ ଠିକ୍ ବାଟରେ ହେଉଛି ବିରୋଧୀ ଅଯଥା ରାଜନୀତି କରୁଛନ୍ତି ବୋଲି କହିଛନ୍ତି ବିଜେପି ନେତା । ଘରେ କେହି ନଥିବାବେଳେ ଗତକାଲି ଛାତ୍ରୀ ଜଣଙ୍କ କିରୋସିନ ଢ଼ାଳି ହୋଇ ଆତ୍ମହତ୍ୟା କରିଥିଲେ । ଏନେଇ ଖବର ପ୍ରସାରିତ ହେବା ପରେ ଘଟଣାସ୍ଥଳରେ ଏସପି, ସାଇଣ୍ଟିଫିକ୍ ଟିମ୍ ପହଁଚି ସରଜମିନ୍ ତଦନ୍ତ କରିଛନ୍ତି ।