କନକ ବ୍ୟୁରୋ: କେହି ଆପଣଙ୍କୁ ଆକ୍ରମଣ କଲେ ବା ଆପଣ ବିପଦରେ ପଡ଼ିଲେ କେମିତି କରିବେ ମୁକାବିଲା? କେମିତି କରିବେ ନିଜର ଆତ୍ମରକ୍ଷା? ଏହା ଜାଣିବା ପାଇଁ କଲେଜମାନଙ୍କରେ ପ୍ରତିବର୍ଷ ଦିଆଯାଉଛି ପ୍ରଶିକ୍ଷଣ । ଛାତ୍ରୀମାନେ ୭ଦିନ ଧରି ଏହି ପ୍ରଶିକ୍ଷଣ ଶିବିରରେ ରହି ପ୍ରଶିକ୍ଷଣ ନେଇଥାନ୍ତି । ଏଥିପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏବେ ଆମେ ଯାହା ଦେଖାଇବାକୁ ଯାଉଛୁ, ତାହା ଆପଣ କେବେ ଭାବିନଥିବେ । ବାସ୍ତବରେ ଏସବୁ ପ୍ରଶିକ୍ଷଣ ହୁଏ କି? ସତରେ କ’ଣ ଛାତ୍ରୀମାନେ ଟ୍ରେନିଂ ପାଆନ୍ତି? ନା କେବଳ ମିଡିଆକୁ ଫଟୋ ଟିଏ ଦେଇ, ଚା ଜଳଖିଆ ଖାଇ କାମ ସାରିଦିଆଯାଏ? ଦର୍ଶକବନ୍ଧୁ ଏ ପ୍ରଶ୍ନ ଆମେ ଏଥିପାଇଁ ପଚାରୁଛୁ, କାରଣ ସ୍ବାଧୀନତା ଦିବସର ଠିକ୍ ଦିନକ ପୂର୍ବରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଗୋଟିଏ ଚିଠି ଲେଖିଛି।

Advertisment

ରାଜ୍ୟର ବିଭିନ୍ନ କଲେଜରେ ହେଉଥିବା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରକୁ ନେଇ ଏ ଚିଠିରେ ସନ୍ଦେହ ଉପୁଜିଛି। ସତସତିକା ଟ୍ରେନିଂ କ୍ୟାମ୍ପ ହୋଇନାହିଁ ବୋଲି ଏ ଚିଠିରେ ଲେଖାଯାଇଛି। ରାଜ୍ୟର ବହୁ ବଡ଼ ବଡ଼ ନାମୀ କଲେଜ ବି ଏ ତାଲିକାରେ ରହିଛି। ଯେଉଁଠି ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ହୋଇନାହିଁ ଓ ଟଙ୍କା ଫେରାଅ ବୋଲି ବିଭାଗୀୟ ଡେପୁଟି ସଚିବ ଅତି କଡ଼ା ଭାଷାରେ ଲେଖିଛନ୍ତି। ମାସେ ତଳେ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଖବର ଯେତେବେଳେ ସାମ୍ନାକୁ ଆସିଲା, ଅଧ୍ୟାପକଙ୍କ ସହ ତାଙ୍କ ବିବାଦ ଏହି ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଲାଗି ହିଁ ଆରମ୍ଭ ହୋଇଥିଲା। ସୌମ୍ୟାଶ୍ରୀ ମାଷ୍ଟର ଟ୍ରେନର ଥିଲେ ବୋଲି କିଛି କ୍ଲାସ୍ ଆଟେଣ୍ଡ କରିପାରିନଥିବା କହିଥିଲେ। ହେଲେ ସେ ଯେଉଁ ଫକୀର ମୋହନ ସ୍ବୟଂଶାସିତ କଲେଜରେ ଟ୍ରେନିଂ ଦେଉଥିଲେ, ସେ ବି ଏ ଖିଲାପୀ ତାଲିକାରେ ରହିଛି। ଚାଲନ୍ତୁ ଦେଖିବା ରାଜ୍ୟର କେଉଁ ବଡ଼ କଲେଜ ଏହି ତାଲିକାରେ ଅଛନ୍ତି ଓ ସେମାନେ କେତେ ଟଙ୍କା ସରକାରଙ୍କୁ ଫେରାଇବେ।