କନକ ବ୍ୟୁରୋ: ସେଜ୍ ମାଇଁ ଡିଅର...ତୁମେ ଚାଲିଯିବ ବୋଲି ଭାବି ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି । ମୋତେ ଦୁଃଖ ଲାଗୁଛି ଯେ ତୁମେ, ତୁମ ମାଆଙ୍କ ନାଁରେ ମିଛ କହି କଳଙ୍କ ଲାଗାଇଦେଲ । ତୁମେ ଭଲଭାବେ  ଜାଣିଛ ମୁଁ ତୁମକୁ କେତେ ଭଲ ପାଏ । ଅପାଣାର ଭାବି ଭଲ ଭାବେ ତୁମ ଯତ୍ନ ବି ନେଉଥିଲି । ଏବେ ତୁମେ ତୁମର ଯତ୍ନ ନେବ । ଭଗବାନ ତୁମର ମଙ୍ଗଳ କରନ୍ତୁ । ତୁମର ଛୋଟ ଖୁସି ଏବଂ ସବୁଠାରୁ ବଡ ଦୁଃଖ ସମୟରେ ମୁଁ ତୁମ ସହ ସବୁବେଳେ ଅଛି । ମୋ ପ୍ରିୟ ସେଜ୍ ତୁମେ ସବୁଦିନ ମୋ ହୃଦୟରେ ଅଛ । ସ୍ନେହ ସହ ମୁଁ ତୁମକୁ ବିଦାୟ ଦେଉଛି...ଏମିତି କିଛି ଆଖିକୁ ଓଦା କରିଦେଲା ଭଳି ସାତ ଦରିଆ ପାରିରୁ ପତ୍ର ଲେଖି ପଠାଇଥିଲେ ସେଜଲଙ୍କ ଆମେରିକୀୟ ମାଆ । ପ୍ରେମ ପାଇଁ ସେଜଲ୍ ସିନା ଆମେରିକାକୁ ପର କରି ଛାଡ଼ି ଚାଲି ଆସିଲେ ହେଲେ ତାଙ୍କ ଆମେରିକୀୟ ମା’ ତାଙ୍କୁ ଭୁଲି ପାରୁନାହାନ୍ତି । ଆମେରିକାରେ ଥିବା ସେଜଲଙ୍କ ମାଆ ତାଙ୍କୁ ଦେଇଥିବା ଏ କ୍ଷୋଭ ଓ ଭାବୁକ କଲା ଭଳି ଚିଠିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । 

Advertisment

ତେବେ ଏହି ଚିଠିଟି ଗତ ନଭେମ୍ବର ୨୧ ତାରିଖର ବୋଲି କୁହାଯାଉଛି । ଗତ ୨୧ ତାରିଖରେ ସେଜଲଙ୍କ ପାଇଁ ତାଙ୍କ ମାଆ ଲେଖିଥିବା ଏ ଲୁହଭରା ଚିଠିକୁ ଯିଏ କେହି ବି ପଢ଼ୁଛି ତା’ ଆଖିରେ ଆଖିଏ ଲୁହ ଭରି ଯାଉଛି ।  ଏପଟେ ଆମେରିକାରୁ ପାଳିତା ମା’ ନାଁରେ ମିଛ କହି ଓଡ଼ିଶା ଆସିଥିବା ସେଜଲଙ୍କ ନୂଆ ଠିକଣା ପାଲଟିଛି ବାଲେଶ୍ଵର ଶକ୍ତି ସଦନ । ଯେବେ ଆମେରିକାରୁ ଓଡ଼ିଶା ଆସିଥିଲେ ସେତେବେଳେ ତାଙ୍କ ହାତରେ ଏହି ଚିଠି ଦେଇଥିଲେ ସେଜଲଙ୍କ ଆମେରିକୀୟ ମା’ । ଯେଉଁଥିରେ ଜଣେ ମା’ର ଭଲପାଇବା, ବିଚ୍ଛେଦ, ସ୍ନେହ ଓ ଆଶୀର୍ବାଦ ଭରି ରହିଛି ।