କନକ ବ୍ୟୁରୋ: ଶନିବାର କରୁର୍‌ ରାଲିରେ ଦଳାଚକଟା ହୋଇ ୪୦ ଜଣଙ୍କର ମୃତ୍ୟୁ ପରେ ଟିଭିକେ ମୁଖ୍ୟ ବିଜୟଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । କୌଣସି ଅପ୍ରୀତିକର ସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ବିଜୟଙ୍କ ଚେନ୍ନାଇ ସ୍ଥିତ ବାସଭବନ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ବିଜୟଙ୍କ ସୁରକ୍ଷା ପାଇଁ ଜଣେ ଏସିପି, ଜଣେ ଇନ୍ସପେକ୍ଟର, ୨୦ ଜଣ ପୁଲିସ ମୁତୟନ ହୋଇଛନ୍ତି । ଏହାବାଦ୍‌ ୪ ସିଆର୍‌ପିଏଫ୍‌ ଯବାନ ମଧ୍ୟ ମୁତୟନ ହୋଇଛନ୍ତି । ପୁଲିସ ସୂଚନାନୁଯାୟୀ ସମସ୍ତ ଟିଭିକେ ଜିଲ୍ଲା ସମ୍ପାଦକଙ୍କ ବାସଭବନ ଗୁଡ଼ିକରେ ମଧ୍ୟ ସୁରକ୍ଷା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ଆସନ୍ତାବର୍ଷ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଥିବାବେଳେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଏବେଠାରୁ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଗତକାଲିର ଘଟଣା ପରେ ଲୋକମାନେ ତାଙ୍କ ଉପରେ କ୍ଷୁବ୍ଧ ହୋଇଯାଇଛନ୍ତି ।  

Advertisment

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଏହି ଘଟଣା ରାଜ୍ୟର ସବୁଠାରୁ ଦୁଃଖଦାୟକ ଘଟଣା ବୋଲି କହିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରୁଣା ଜଗଦୀଶନଙ୍କ ନେତୃତ୍ୱରେ ଏକ ନ୍ୟାୟିକ କମିସନ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଆଜି ସ୍ଥିତି ସମୀକ୍ଷା ପାଇଁ ବରିଷ୍ଠ ଅଧିକାରୀମାନଙ୍କ ସହ ଚେନ୍ନାଇରେ ଏକ ଜରୁରୀ ବୈଠକ କରିଛନ୍ତି । ପୀଡ଼ିତଙ୍କ ପରିବାର ସଦସ୍ୟ ଏବଂ ଆହତମାନଙ୍କୁ ଭେଟିଛନ୍ତି । ଷ୍ଟାଲିନ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଏବଂ ଆହତମାନଙ୍କୁ ୧ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି । ଇତି ମଧ୍ୟରେ କରୁର୍‌ ଜିଲ୍ଲା ପୁଲିସ ଟିଭିକେ ଦଳର ସାଧାରଣ ସମ୍ପାଦକ ଆନନ୍ଦ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ନିର୍ମଳ କୁମାରଙ୍କ ବିରୋଧରେ ଏତଲା ରୁଜୁ କରିଛି ।