କନକ ବ୍ୟୁରୋ: ଖବର ବାଜିଲା ପ୍ରଶାସନ ଚେତିଲା । ଆର୍ଯ୍ୟପଲ୍ଲୀ ସମୁଦ୍ର ବେଳାଭୂମିରେ ସୁରକ୍ଷା ବଢ଼ିଲା । ପଥରବନ୍ଧ ଉପରକୁ ନଯିବା ନିମନ୍ତେ ସୂଚନା ଫଳକ ଲାଗିଲା । ତଥାପି କିଛି ଅମାନିଆ ନିଷିଦ୍ଧାଞ୍ଚଳକୁ ଯାଇ ବୁଲାବୁଲି କରୁଛନ୍ତି । ରିଲ୍ସ କରିବା ସହ ସେଲ୍ଫି ନେଉଛନ୍ତି । ପୁଲିସ ସେମାନଙ୍କୁ ସେଠାରେ ଘଉଡ଼ାଇବା ସହ ତାଗିଦ୍ କରୁଛି । ପୁଲିସ ପ୍ରଶାସନ ଯେତେ ତାଗିଦ୍ କଲେ ମଧ୍ୟ ଯଦି ପର୍ଯ୍ୟଟକମାନେ ନିଜେ ସଚେତନ ନହେବେ, ରିଲ୍ସ ଓ ସେଲ୍ଫି ପାଇଁ ପାଗଳ ହେବେ, ତେବେ ଅଘଟଣର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ ।
ଅସୁରକ୍ଷିତ ପଥରବନ୍ଧରେ ସୂଚନା ଫଳକ ଲଗାଇଛି ପୁଲିସ ପ୍ରଶାସନ । ସାଇନ୍ ବୋର୍ଡରେ ଲେଖାଅଛି ନିଷିଦ୍ଧାଞ୍ଚଳ। ଅର୍ଥାତ ସେଠାକୁ କେହି ଯାଇ ପାରିବେ ନାହିଁ । ହେଲେ ତାକୁ ମାନୁଛି କିଏ ? ପ୍ରଶାସନର କଟକଣାକୁ ଫୁ’ କରି ଉଡ଼ାଇ ଦେଉଛନ୍ତି ପର୍ଯ୍ୟଟକ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଆର୍ଯ୍ୟପଲ୍ଲୀ ସମୁଦ୍ର ବେଳାଭୂମିର ଅସୁରକ୍ଷିତ ପଥରବନ୍ଧରେ ମନଇଚ୍ଛା ବୁଲୁଛନ୍ତି । ରିଲ୍ସ ଓ ସେଲ୍ଫି ନେବା ନିଶାରେ ବନ୍ଧ ତଳକୁ ବି ଚାଲିଯାଉଛନ୍ତି ।
ଗଞ୍ଜାମ ଜିଲ୍ଲାରେ ଥିବା ଅନେକ ବେଳାଭୂମି ମଧ୍ୟରୁ ଅନ୍ୟତମ ଆର୍ଯ୍ୟପଲ୍ଲୀ ବେଳାଭୂମି । ଏଠି ସମୁଦ୍ର କୂଳଲଂଘି ଅନେକ ଘର ଧୋଇନେଇଛି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପଥରବନ୍ଧ କରାଯାଇଛି । ଆର୍ଯ୍ୟପଲ୍ଲୀ ବୁଲି ଆସୁଥିବା ପର୍ଯ୍ୟଟକ ସେହି ପଥରବନ୍ଧରେ ବୁଲାବୁଲି କରିଥାନ୍ତି । ଅନେକ ସମୟରେ ଅଘଟଣ ଘଟିଛି । ୨ ବର୍ଷ ତଳେ ୨ଜଣ ଛାତ୍ରୀ ଭାସି ଯାଇ ପ୍ରାଣ ହରାଇଥିଲେ । ଏନେଇ ବାରମ୍ବାର ଖବର ପ୍ରସାରଣ ପରେ ସୁରକ୍ଷା ଦିଗରେ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ପଥରବନ୍ଧକୁ ଯିବା ନିଷିଦ୍ଧାଞ୍ଚଳ ବୋଲି ସୂଚନା ଫଳକ ଲାଗିଛି । ୨୪ ଘଣ୍ଟା ପୁଲିସ ମୁତୟନ ରହିବେ । ବାରଣ ସତ୍ତ୍ୱେ ପଥରବନ୍ଧକୁ ଯାଇ ରିଲ୍ସ କି ସେଲ୍ଫି ଉଠାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଛତ୍ରପୁର ଏସ୍ଡିପିଓ ।
ସମସ୍ତେ ଚାହାନ୍ତି ସମୁଦ୍ରରେ ସମୟ ବିତାଇବା ସମୟରେ କିଛି ସ୍ମୃତିକୁ ସାଉଁଟିବା ପାଇଁ । ତେଣୁ ପର୍ଯ୍ୟଟକମାନଙ୍କୁ କେବଳ ତାଗିଦ କରି ଛାଡ଼ିଦେଲେ ହେବନାହିଁ, ସେମାନଙ୍କୁ ସଚେତନ କରିବାକୁ ପଡ଼ିବ ।