କନକ ବ୍ୟୁରୋ : ପହଲଗାମ୍ ନରସଂହାର ପରେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ବିଶ୍ୱ ଐତିହ୍ୟ କୋଣାର୍କର ସୁରକ୍ଷା ବ୍ୟବସ୍ଥା କେମିତି ଅଛି ? ପ୍ରତିଦିନ ଦେଶ ବିଦେଶର ଶହଶହ ପର୍ଯ୍ୟଟକ ଆସୁଥିବା ସୂର୍ଯ୍ୟ ମନ୍ଦିରର ସୁରକ୍ଷା ତିନି-ଚାରି ଜଣ ସିକ୍ୟୁରିଟି ଗାର୍ଡଙ୍କ ହାତରେ ରହିଛି । ସମସ୍ତ ପ୍ରବେଶ ପଥ ମୁକୁଳା ପଡିଛି । ପର୍ଯ୍ୟଟକମାନେ ବଡ଼ ବଡ଼ ବ୍ୟାଗ ଧରି ଯାତାୟତ କରୁଛନ୍ତି । ହେଲେ କେହି କେବେ ପଚାରୁନାହାନ୍ତି କି ଯାଞ୍ଚ କରାଯାଉନାହିଁ ।
ସେହିଭଳି ଅନୁରୂପ ଭାବରେ ମୁକୁଳା ପଡ଼ିଛି ଚନ୍ଦ୍ରଭାଗା ୩୦ କିଲୋମିଟର ଉପକୂଳ । ସେହି ବାଟ ଦେଇ ଅନୁପ୍ରବେଶ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ସବୁଆଡ଼େ ସତର୍କତା ମୂଳକ ପଦକ୍ଷେପ ନିଆଯାଉଥିବା ସମୟରେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ସମ୍ପୂର୍ଣ୍ଣ ନିଷ୍କ୍ରିୟ ଥିବା ଲକ୍ଷ୍ୟ କରାଯାଉଛି । ସମୁଦ୍ରରେ ପାଟ୍ରୋଲିଂ ପାଇଁ ଆବଶ୍ୟକ ବୋଟ୍, ଉନ୍ନତମାନ ନିରୀକ୍ଷଣ ଯନ୍ତ୍ରପାତି, ଅସ୍ତ୍ରଶସ୍ତ୍ର ଅଭାବ ସଙ୍ଗକୁ ପର୍ଯ୍ୟାପ୍ତ ତାଲିମ୍ ପ୍ରାପ୍ତ କର୍ମଚାରୀ ନଥିବା ଜଣାପଡ଼ିଛି । ସରଞ୍ଜାମ ଅଭାବରୁ ସାମୁଦ୍ରିକ ଥାନା ନାମକୁ ମାତ୍ର ଉପକୂଳ ସୁରକ୍ଷା ଦାୟିତ୍ୱରେ ଥିବା ଅଭିଯୋଗ ହୋଇଛି ।
ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଞ୍ଚଳରେ ରହିଥିବା କେଳୁଣୀ ମୁହାଣ ଠାରୁ ବେଲେଶ୍ୱର ପର୍ଯ୍ୟନ୍ତ ପ୍ରାୟ ୩୦ କି.ମି. ମୁକୁଳା ଜଳପଥରେ ଅନୁପ୍ରବେଶ ବିପଦ ରହିଛି । ତେଣୁ ଏଥିପ୍ରତି ସରକାର ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।